ନୂଆଦିଲ୍ଲୀ: କାନାଡାର ଓଣ୍ଟାରିଓ ପ୍ରଦେଶର ବ୍ରାମ୍ପଟନରେ ଥିବା ଏକ ମନ୍ଦିରରେ ହୋଇଥିବା ଆକ୍ରମଣ ଘଟଣା ମାମଲାରେ କାନାଡା ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ପିଲ ଆଞ୍ଚଳିକ ପୋଲିସ ଅଧିକାରୀ ସାର୍ଜେଣ୍ଟ ହରିନ୍ଦର ସୋହିଙ୍କୁ ନିଲମ୍ବିତ କରାଯାଇଛି। ଆକ୍ରମଣ କରିଥିବା ଖଲିସ୍ତାନ ସମର୍ଥକ ଗୋଷ୍ଠୀଙ୍କ ସହ ହରିନ୍ଦର ଥିବା ନେଇ ଦେଖିବାକୁ ମିଳିଥିଲା । ସେପଟେ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।
କାନାଡାରେ ଥିବା ହିନ୍ଦୁଙ୍କ ଧର୍ମାନୁଷ୍ଠାନରେ ପଶି ଶ୍ରଦ୍ଧାଳୁଙ୍କୁ ଖଲିସ୍ତାନୀମାନେ ଆକ୍ରମଣ କରିବାର ଭିଡିଓ ଭାଇରାଲ ହେଉଛି। ହାତରେ ହଳଦିଆ ରଙ୍ଗର ପତାକା ଧରି କିଛି ଲୋକ ମନ୍ଦିର ପରିସରରେ ପଶି ଗଣ୍ଡଗୋଳ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓରେ କିଛି ଖାଲିସ୍ତାନୀ ହିନ୍ଦୁ ଭକ୍ତଙ୍କୁ ଗୋଟିଏ ଲାଠିରେ ଆକ୍ରମଣ କରୁଥିବାର ଭିଡିଓ ସାମନାକୁ ଆସିଥିଲା। ଯାହାକୁ ନେଇ କଡା ନିନ୍ଦା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ଲେଖିଛନ୍ତି, “କାନାଡାରେ ଥିବା ଗୋଟିଏ ହିନ୍ଦୁ ମନ୍ଦିରରେ ଜାଣିଶୁଣି କରାଯାଇଥିବା ଆକ୍ରମଣକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି। ଏହା ଆମ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର ଏକ ଚକ୍ରାନ୍ତ। ଏପରି ଆକ୍ରମଣ ବା ହିଂସା କେବେ ହେଲେ ଭାରତର ସଂକଳ୍ପକୁ ଦୁର୍ବଳ କରିପାରିବ ନାହିଁ। ଆମର ଆଶା କାନାଡା ସରକାର ନ୍ୟାୟକୁ ନିଶ୍ଚିତ କରିବେ ଓ ଆଇନକୁ କାଏମ ରଖିବେ।”
ତେବେ ମନ୍ଦିର ଭିତରେ କିମ୍ବା ବାହାରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନଥିଲେ ମଧ୍ୟ ୩ ଜଣ ହିନ୍ଦୁଙ୍କୁ କାନାଡା ପୋଲିସ ଗିରଫ କରିଛି । ସେମାନଙ୍କ ପରିଚୟ ଗୋପନ ରଖା ଯାଇଥିବା ବେଳେ ସେମାନଙ୍କ ବିରୋଧରେ କି ଦଫା ଲଗାଯିବ, ତାକୁ ଅପେକ୍ଷା କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ । ବ୍ରାମ୍ପଟନରେ ହିନ୍ଦୁ ସଭା ମନ୍ଦିର ଉପରେ ଖଲିସ୍ତାନୀ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାକୁ ନିନ୍ଦା କରିଛି ଓଣ୍ଟାରିଓ ଶିଖ ଏବଂ ଗୁରୁଦ୍ବାର ପରିଷଦ ।