Latest Odisha News

ଦିନେ ମରୁଭୂମି ଥିଲା, ଏବେ ବରଫରେ ଢାଙ୍କି ହେଲାଣି ସାଉଦ ଆରବ

ନୂଆଦିଲ୍ଲୀ: ପ୍ରକୃତି ଏବେ ଚାରିଆଡେ ତାଣ୍ଡବ ରଚୁଛି । ଜୈବ ବିବିଧତା ଏବେ ପ୍ରକୃତିର ନୂଆ ରୂପ ଦେଖାଉଛି । ଯାହା କେବେ ଘଟିନଥିଲା ତାହା ଏବେ ସମସ୍ତଙ୍କୁ ଆଚମ୍ବିତ କରୁଛି । କେଉଁଠି ବରଫରେ ଆଚ୍ଛାଦିତ ସାଗର ସବୁଜିମା ପାଲଟିଲାଣି ତ ଆଉ କେଉଁଠି କାଳ କାଳର ମରୁଭୂମି ଅଞ୍ଚଳରେ ଏବେ ବରଫ ବର୍ଷା ହେବାକୁ ଲାଗିଲାଣି । ଏହି ପରିବର୍ତ୍ତନ ଏବେ ପୃଥିବୀରେ ବିନାଶର ଆଶଙ୍କା ସୃଷ୍ଟି କଲାଣି । କାରଣ ପରିବର୍ତ୍ତନ ସାଙ୍ଗରେ ଅନେକ କ୍ଷତି ନେଇ ଆସିଥାଏ ।

ଏବେ ଏମିତି କିଛି ପରିବର୍ତ୍ତନ ସାଉଦି ଆରବରେ ଡରାଇଲାଣି । ସାଉଦି ଆରବ ଯାହା ନିଜର ଗରମ ମୌସୁମୀ ଏବଂ ବିଶାଳ ମରୁଭୂମି ପାଇଁ ବିଖ୍ୟାତ, ସେଠି ଏବେ ପାଣିପାଗ କଡ ଲେଉଟାଇଲାଣି । ସାଉଦି ଆରବର ଏକ ମରୁଭୂମିରେ  ଏତେ ବରଫ ବର୍ଷା ହୋଇଛି ଯେ, ସେଠିକା ମରୂଭୂମି ବାଲି ଉପରେ ଏକ ଧଳା ଚାଦର ଛାଇ ଯାଇଛି । ଯାହା ସାଉଦି ଆରବ କମ୍ ମନାଲି ଏବଂ କାଶ୍ମୀରର ଭ୍ରମ ସୃଷ୍ଟି କରିଛି ।

ତେବେ ସାଉଦି ଆରବର ପ୍ରେସ ଏଜେନ୍ସର ରିପୋର୍ଟ ଅନୁଯାୟୀ, ସାଉଦ ଆରବର ଅଲ-ଜୌଫ ନାମକ ସ୍ଥାନରେ ଗତ ବୁଧବାର ଲଗାଣ ବର୍ଷା ସାଙ୍ଗକୁ ବରଫ ମଧ୍ୟ ପଡିଥିଲା । ଏହି ବରଫ ବର୍ଷା କାରଣରୁ ପାହାଡ ଏବଂ ମରୁଭୂମି ଉପରେ ଧଳାର ଏକ ଚାଦର ଛାଇ ଯାଇଥିଲା । ଏଭଳି ବରଫ ବର୍ଷା ଆଗରୁ କେବେ ହୋଇନଥିଲା ବୋଲି ଦାବି କରିଛି ଏଜେନ୍ସି । ସେପଟେ ଭାରି ବରଫ ବର୍ଷା କାରଣରୁ ସ୍ଥାନୀୟ ଅଞ୍ଚଳରେ ଥଣ୍ଡାର ପରିମାଣ ବଢିଯାଇଛି ।

ତେବେ କହିରଖୁଛୁ, ଅଲ-ଜୌଫ ସାଉଦ ଆରବର ଏକ ପ୍ରମୁଖ ପ୍ରାନ୍ତ, ଯାହା ଦେଶର ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ । ଏହାର ରାଜଧାନୀ ସକାକା । ଏହି ସ୍ଥାନ ପୂରା ମରୁଭୂମି ହୋଇଥିବା ବେଳେ ଏଠିକାର ପାହାଡିଆ ଅଞ୍ଚଳ ଏବଂ ବିଭିନ୍ନ ଐତିହାସିକ କୀର୍ତ୍ତୀରାଜି ପାଇଁ ପ୍ରସିଦ୍ଧ । ତେବେ ବର୍ଷର ଅଧିକାଂଶ ସମୟରେ ଏହି ସ୍ଥାନ ଶୁଖିଲା ରହିଥିବା ବେଳେ ଏଠାରେ ଗରମ ଅନୁଭୂତ ହୋଇଥାଏ । ଆହୁରି ମଧ୍ୟ ଅଲ-ଜୌଫ ସ୍ଥାନଟି ସାଉଦି ଆରବର କୃଷି କ୍ଷେତ୍ରକୁ ମଧ୍ୟ ବେଶ୍ ସୁହାଇଥାଏ । ଖାସ୍ କରି ଖଜୁରି ଏବଂ ଅନ୍ୟ କୃଷି ପାଇଁ ଏହିଠାରୁ ହିଁ ଉତ୍ପାଦ ମିଳିଥାଏ । ଏଥିସହିତ ଏହି ସ୍ଥାନଠାରୁ ଆରବର ପ୍ରାଚୀନ ବ୍ୟାପାର  ମାର୍ଗ ମଦ୍ୟ ଜଡିତ । କିନ୍ତୁ ଏବେ ଏହାର ପାରିପାର୍ଶ୍ବିକ ପରିବର୍ତ୍ତନ ଚିନ୍ତାର କାରଣ ପାଲଟିଛି ।

Comments are closed.