Latest Odisha News

ଆତଙ୍କବାଦୀ-ସେନା ଗୁଳି ବିନିମୟ: ସେନା ଅଧିକାରୀ ସହିଦ, ୩ ପାରା କମାଣ୍ଡୋ ଆହତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର କିସ୍ତୱାରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ସେନା ଅଧିକାରୀ ସହିଦ ହୋଇଛନ୍ତି। ସେହିପରି ଗୁଳି ମାଡ଼ରେ ଆଉ ୩ ଜଣ ପାରା କମାଣ୍ଡୋ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆର୍ମିର ପକ୍ଷରୁ ଏକ୍ସରେ ଏକ ପୋଷ୍ଟ କରାଯାଇଛି।  ଏହି ପୋଷ୍ଟରେ କୁହାଯାଇଛି, ଜେସିଓ ନାଏବ ସୁବେଦାର ରାକେଶ କୁମାର ଆତଙ୍କବାଦ ନିରୋଧ ଅପରେସନ ସମୟରେ ସହିଦ ହୋଇଛନ୍ତି। କିସ୍ତୱାର ଭାରତ ରିଡଗେ ଠାରେ ଚାଲିଥିବା ଜଏଣ୍ଟ ଅପରେସନ ବେଳେ ଏପରି ଘଟଣା ଘଟିଛି। ନାଏବ ସୁବେଦାର କୁମାର ୨ ପାରା(ସ୍ପେଶାଲ ଫୋର୍ସ)ରେ କାର୍ଯ୍ୟ କରୁଥିଲେ।

ସୂଚନା ଅନୁସାରେ, କୁଣ୍ଟୱାରା ଓ କେଶୱାନ ମଧ୍ୟରେ ଥିବା ଗୋଟିଏ ଜଙ୍ଗଲରେ ଦୁଇ ଜଣ ଆତଙ୍କବାଦୀ ଲୁଚି ଥିବା ଖବର ମିଳିଥିଲା। ଏହାପରେ ଆର୍ମି ଓ ଜମ୍ମୁ-କାଶ୍ମୀର ପୋଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳି ମାଡ଼ କରାଯାଇଥିଲା। ଏହି ଗୁଳି ବିନିମୟରେ ଆହତ ହୋଇଥିବା ସ୍ଥଳର ସେନାର ୪ ପାରା କମାଣ୍ଡୋଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧମପୁର ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାଏବ ସୁବେଦାର କୁମାରଙ୍କ ଦେହାନ୍ତ ହୋଇଥିବା ବେଳେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।

Comments are closed.