Latest Odisha News

BREAKING NEWS

ଓଡ଼ିଆ ବିଭବର ୭ମ ଜନ୍ମଦିନ: ଲୋକାର୍ପିତ ହେଲା ଶିଖା ଓ ରାଁସା ପତ୍ରିକାର ୱେବ୍‌ ପେଜ୍

ଭୁବନେଶ୍ବର: ଲୋକାର୍ପିତ ହେଲା ଶିକ୍ଷା ସନ୍ଧାନର ଶିଖା ଓ ରାଁସା ପତ୍ରିକାର ୱେବ୍‌ ପୃଷ୍ଠା । ଓଡ଼ିଆ ବିଭବର ୭ମ ଜନ୍ମଦିନରେ ଏହା ଲୋକାର୍ପିତ କରାଯାଇଛି। ଶିକ୍ଷାସନ୍ଧାନ ସଭାଗୃହରେ ଏହି ଦୁଇ ପତ୍ରିକାର ୱେବ୍‌ ପୃଷ୍ଠା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ବହି ବା ପତ୍ରିକା ପଢିବା ପରିବର୍ତ୍ତେ ଆଜିର ପିଢୀ ସମେତ ଅଧିକାଂଶ ଡିଜିଟାଲ ପତ୍ରିକା ବା ବହିକୁ ବେଶ ପସନ୍ଦ କରୁଛନ୍ତି। ଓଡିଆ ଭାଷାରେ ଥିବା ପୋର୍ଟାଲ ଓଡିଆ ବିଭବ ଲୋକପ୍ରିୟ ହେବାରେ ଲାଗିଛି। ଶିକ୍ଷାସନ୍ଧାନ ସଭାପତି ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଆ ସାହିତ୍ୟ ଏକାଡେମୀର ଉପସଭାପତି ଡ. ସଂଗ୍ରାମ ଜେନା, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଅଜିତ କୁମାର ନାୟକ, ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ ସୁଧିର ପଟ୍ଟନାୟକ, ଶିକ୍ଷାସନ୍ଧାନର ସଦସ୍ୟ-ସମ୍ପାଦକ ଅନିଲ ପ୍ରଧାନ ତଥା ସୃଜନିକାର କର୍ମକର୍ତ୍ତା ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଡ. ଜେନା ଏହି ପତ୍ରିକା ଦୁଇଟିର ଲୋକାର୍ପଣ କରିଥିଲେ।

ଓଡ଼ିଆ ବିଭବ ଏବେ ସାଧାରଣ ପାଠକ ଓ ଗବେଷକଙ୍କ ପାଖରେ ଧିରେ ଧିରେ ପରିଚିତ ୱେବ୍‌ ସ୍ଥଳି ପାଲଟିଛି। ଓଡ଼ିଆ ବହିଟିଏ ଦରକାର ପଡ଼ିଲେ ଲୋକେ ପ୍ରଥମେ ଓଡ଼ିଆ ବିଭବକୁ ମନେ ପକାଉଛନ୍ତି ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଏଣିକି ସମସ୍ତେ ଦୁଇଟି ପତ୍ରିକା ଓଡ଼ିଆ ବିଭବ (https://odiabibhaba.in)ର ପତ୍ରିକା ବିଭାଗରେ ମାଗଣାରେ ପାଇପାରିବେ। ବର୍ତ୍ତମାନ ଓଡ଼ିଆ ବିଭବରେ ୧୪ ହଜାରରୁ ଅଧିକ ଓଡ଼ିଆ ଓ ଓଡିଶା ସମ୍ପର୍କିତ ବହି ରହିଛି। ତା ଛଡା ବହୁ ପୁରୁଣା ଓ ବିରଳ ଖବରକାଗଜ ଓ ପତ୍ରିକା ମଧ୍ୟ ଏଠାରେ ସମସ୍ତଙ୍କ ପାଇଁ ଉପଲବ୍ଧ। ଏପରି ୨୧ଟି ଡିଜିଟାଲ ସଂକଳନ ମଧ୍ୟ ଓଡ଼ିଆ ବିଭବରେ ସ୍ଥାନ ପାଇଛି। ଏହା ସହ ଭାଷାକୋଷ, ଚରିତକୋଷ, ଶବ୍ଦାର୍ଥ, ଗୀତଗୋବିନ୍ଦ, ରେଫରେସନ୍ସ ଆଦି ପୃଷ୍ଠା ଏହି ୱେବ୍‌ସାଇଟ୍‌ରେ ରହିଛି। ଏବେ ପ୍ରାୟ ଦିନକୁ ପ୍ରାୟ ହାରାହାରି ୧୦୦୦ରୁ ୧୫୦୦ ବ୍ୟକ୍ତି ୱେବ୍‌ସାଇଟ୍ ଦେଖୁଛନ୍ତି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ନିଜ ମାତୃଭାଷା ଭାଷାରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଏହାକୁ ଆଧାର କରି ପିଲାଙ୍କ ପାଇଁ ଶିକ୍ଷାସନ୍ଧାନ, ଓଡ଼ିଆ ଓ ହୋ ଭାଷାରେ ଏକ ଦ୍ୱିଭାଷି ତ୍ରୟୋମାସିକ ପତ୍ରିକା ରାଁସା ପ୍ରକାଶ କରାଯାଇଥିବା ସୂଚନା ମିଳିଛି।

 

Leave A Reply

Your email address will not be published.