Latest Odisha News

BREAKING NEWS

ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସଂସ୍କୃତି କକ୍ଷ

ଭୁବନେଶ୍ୱର: ଷଷ୍ଠ ଦିନରେ ଜମୁଛି ବିଶ୍ବ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା । ଏହି ଅବସରରେ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ବିଭିନ୍ନ ବର୍ଗର ଜନସାଧାରଣ ଓ ବିଶେଷ ଭାବରେ ଯୁବପିଢୀମାନଙ୍କୁ ଅବଗତ କରିବା ପାଇଁ କଟକ ବାଲିଯାତ୍ରା ପଡିଆରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ନୌବାଣିଜ୍ୟ ପରମ୍ପରା ସଂସ୍କୃତି କକ୍ଷ ପ୍ରତିଷ୍ଠା କରାଯାଇଛି । ଏହି ସଂସ୍କୃତି କକ୍ଷକୁ “ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ସମୂହ” ନାମରେ ନାମିତ କରାଯାଇଛି ।

ସଂସ୍କୃତି କକ୍ଷରେ ଓଡ଼ିଶାର ସାଧବ ପୁଅମାନେ ବିଦେଶକୁ ବାଣିଜ୍ୟ ଓ ଉପନିବେଶ ସ୍ଥାପନ ନିମନ୍ତେ କରୁଥିବା ଯାତ୍ରା ତଥା ଓଡ଼ିଶାର କଳା ଓ ସଂସ୍କୃତିକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରାଯାଇଛି।

ସଂସ୍କୃତି ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ସମ୍ବନ୍ଧରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ବୋଇତ ବନ୍ଦାଣ ଉତ୍ସବ ଓ ବାଲିଯାତ୍ରା ହେଉଛି ଓଡ଼ିଶାର ଗୌରବମୟ ଇତିହାସ ଓ ଓଡ଼ିଆ ପରମ୍ପରାର ପ୍ରତୀକ । ବାଲିଯାତ୍ରା ପଡିଆରେ ସଂସ୍କୃତି ବିଭାଗ ପକ୍ଷରୁ ହୋଇଥିବା ଏହି ସଂସ୍କୃତି କକ୍ଷ ମାଧ୍ୟମରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ସମ୍ବନ୍ଧରେ ଜନସାଧାରଣ ଅବଗତ ହୋଇପାରୁଛନ୍ତି ।

ଏହା ସହିତ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ ମଧ୍ୟ ସଂସ୍କୃତି କକ୍ଷରେ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି । ବାଲିଯାତ୍ରାରେ ଏଥର ବିଭିନ୍ନ ଅନ୍ତର୍ଜାତୀୟ ସାଂସ୍କୃତିକ ଦଳ ମାନଙ୍କ ଦ୍ୱାରା ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ନିର୍ମିତ ହୋଇଥିବା ସଂସ୍କୃତି କକ୍ଷ ଆମ ଓଡ଼ିଆ ସଂସ୍କୃତିକୁ ଲୋକଙ୍କ ମନରେ ଉଜ୍ଜୀବିତ କରି ରଖିବ ବୋଲି ମୋର ବିଶ୍ୱାସ ରହିଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.