ଭୁବନେଶ୍ବର: ପୁଣି ସରକାରକୁ ଫେରିବା ପାଇଁ ବିଜେଡିର ନେତାମାନେ ମନରେ ଆଶା ଜମାଉଥିବା ବେଳେ ଏହାକୁ ପାଣିଫୋଟକା ଭଳି ମିଳାଇ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ବଦ୍ରି ନାରାୟଣ ପାତ୍ର । କହିଛନ୍ତି, ବିଜେଡି ବିରୋଧୀ ହୋଇସାରିଛି । ୫ ବର୍ଷ ପର୍ଯ୍ୟନ୍ତ ଏଥିରେ କିଛି ପରିବର୍ତ୍ତନ ନାହିଁ । ଯେଉଁମାନେ ବିଜେଡି ପୁଣି ସରକାରକୁ ଆସିବା ଦାବି କରୁଛନ୍ତି, ସେମାନେ ଅବାସ୍ତବ କଥା କହୁଛନ୍ତି ।
ତେବେ ଏହି ନିକଟ ଅତୀତରେ ପ୍ରଥମେ ବିଜେଡି ନେତା ଦେବାଶିଷ ସାମନ୍ତରାୟ, ପରେ ମୁନା ଖାଁ ଏବଂ ଏହାପରେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ, ବିଜେଡି ପୁଣି ସରକାରକୁ ଫେରିବ ବୋଲି ଦମ୍ଭୋକ୍ତି ଦେଖାଇଥିଲେ । କଂଗ୍ରେସ ସହ ହାତ ମିଶାଇ ପୁଣି ସରକାର ଗଢିବ । ଯାହାକୁ ଆଜି କଟାକ୍ଷ କରିଛନ୍ତି ସେହି ଦଳର ବରିଷ୍ଠ ନେତା ବଦ୍ରି ପାତ୍ର ।
ଦଳର ନେତାମାନଙ୍କ କଥାକୁ କଟାକ୍ଷ କରି ବଦ୍ରି କହିଛନ୍ତି, ୫ ବର୍ଷ ପୂର୍ବରୁ ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା । ଦଳର ଯେଉଁ ନେତା ଏକଥା କହୁଛନ୍ତି ତାର ଯଥାର୍ଥତା ନାହିଁ । ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେପି ସରକାରକୁ ଆସିଛି। ଏବେ ବିଜେଡି କଂଗ୍ରେସ ସହ ମିଶି ସରକାର କରିବା ନେଇ ଗୁଜବ ଉଠିବା ଅବାସ୍ତବ । ଏପରି ଅବାସ୍ତବ କଥା କହିବାକୁ ସେମାନେ ସ୍ବୀକୃତିପ୍ରାପ୍ତ କି ନାହିଁ ଜାଣିନି। ନବୀନ ବାବୁ ଏହା କହିବାକୁ କହିଛନ୍ତି କି ନାହିଁ ଜାଣିନି। ବିଜେପି ସହ ଆମେ ସମଦୂରତାରେ ଅଛୁ। କଂଗ୍ରେସ ସହ ଆମେ କେବେ ନ ଥିଲୁ । ଯେଉଁମାନେ ବିଜେଡି କଂଗ୍ରେସ ସହ ମିଶି ସରକାର ଗଢିବା କଥା କହୁଛନ୍ତି ସେମାନଙ୍କ ମତିଭ୍ରମ ହୋଇଛି। ଏପରି ମନ୍ତବ୍ୟ ଦେଇ ସେମାନେ ନିନ୍ଦିତ ହେବା ଛଡା ଆଉ କିଛି ନୁହେଁ ବୋଲି କହିଛନ୍ତି ବଦ୍ରି ।
Comments are closed.