ପେଶାଓ୍ବର: ପଶ୍ଚିମ-ଉତ୍ତର ପାକିସ୍ଥାନର ଖୈବର ପଖତୁନଖୱା ଅଞ୍ଚଳ ପୂର୍ବ ଅପେକ୍ଷା ଅଧିକ ଅଶାନ୍ତ ହୋଇପଡିଛି । ଗୋଷ୍ଠୀଗତ ହିଂସା ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି ।
ଏହି ସୂଚନା ଦେଇ ପାକିସ୍ତାନ ପୋଲିସ କହିଛି ଯେ, ଆଫଗାନିସ୍ତାନ ସୀମାବର୍ତ୍ତୀ କୁର୍ମ ଜିଲ୍ଲାରେ ଗୁରୁବାର ଏକ ଯାତ୍ରୀବାହୀ ଭ୍ୟାନ ଉପରେ ଆକ୍ରମଣ ପରେ ଅଲିଜଇ ଏବଂ ବାଗନ ଜନଜାତି ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା ।
ସୂଚନା ଅନୁଯାୟୀ, ଯାତ୍ରୀ ଭ୍ୟାନ ଉପରେ ହୋଇଥିବା ଆକ୍ରମଣରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିଲା । ବଲିଶଖେଲ, ଖାର କାଲୀ, କୁଞ୍ଜ ଅଲିଜଇ ଏବଂ ମକବଲରେ ମଧ୍ୟ ଗୁଳି ବିନିମୟ ଚାଲିଛି । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ସ୍ୱୟଂଚାଳିତ ଅସ୍ତ୍ର ବ୍ୟବହାର କରି ପରସ୍ପରକୁ ଟାର୍ଗେଟ କରୁଛନ୍ତି । ଏହି ହିଂସା ଘଟଣାରେ ଏପର୍ଯ୍ୟନ୍ତ ୧୮ ଜଣଙ୍କର ପ୍ରାଣ ଯାଇଛି ।
ହିଂସା ସମୟରେ ଅନେକ ଘର ଏବଂ ଦୋକାନରେ ନିଆଁ ଲଗାଇ ଭଙ୍ଗାରୁଜା କରିଥିଲେ ଲୋକେ । ଏହା ପରେ ବିଭିନ୍ନ ଗାଁର ଲୋକମାନେ ସୁରକ୍ଷିତ ସ୍ଥାନକୁ ଯାଇଛନ୍ତି । ପରିସ୍ଥିତି ବିଗିଡିବା ଦେଖି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଶନିବାର ପାଇଁ ବନ୍ଦ ରହିଥିଲା ।