ଭୁବନେଶ୍ବର: ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଲବଣଗିରିରେ ଜଣେ ମହିଳାଙ୍କ ବେକରୁ ଚେନ୍ ଟାଣି ନେବା ବେଳେ ଗାଡିରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା ଘଟଣାର ଅଭିଯୁକ୍ତକୁ ଶେଷରେ ଗିରଫ କରିଛି ପୋଲିସ୍ । ପାଖାପାଖି ୪୦୦ ସିସିଟିଭି ଦେଖି ଯାଞ୍ଚ କରିବା ପରେ ଅଭିଯୁକ୍ତର ପତ୍ତା ମିଳିଥିଲା । ହେଲେ ଏବେବି ଗାଡି ଚଳାଉଥିବା ଡ୍ରାଇଭର ଜଣଙ୍କ ଫେରାର ରହିଛି । ଯାହାକୁ ଖୋଜିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ୍ ।
ତେବେ ଏବେ ରାଜଧାନୀ ଭୁବନେଶ୍ବରରେ ରାତି ଅନ୍ଧରା ତ ଛାଡ ଏବେ ଦିନ ଆଲୁଅରେ ବି ଆଖି ପିଛୁଳାକେ କଳାକନା ବୁଲାଉଛନ୍ତି ଲୁଟେରା । ଯାହା ଏବେ ଉଭୟ ରାଜଧାନୀ ବାସୀ ଏବଂ କମିଶନରେଟ ପୋଲିସଙ୍କ ଚିନ୍ତା ବଢାଇଥିବା ବେଳେ ଗତ ୧୩ ତାରିଖରେ ଲୁଟେରାଙ୍କ ଲୁଟ ଉଦ୍ୟମ ବେଳେ ଜଣେ ମହିଳାଙ୍କ ଜୀବନ ଚାଲିଯିବା ଘଟଣା ଲୁଟରାଜ ପ୍ରସଙ୍ଗକୁ ଆହୁରି ଗମ୍ଭୀର କରିଥିଲା ।
ଗତ ୧୩ ତାରିଖରେ ଜଣେ ଦମ୍ପତି ଭୁବନେଶ୍ବରରୁ ହରିରାଜପୁର ସ୍ଥିତ ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲା ବେଳେ ହଠାତ୍ ରାସ୍ତାରେ ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରେ ଥିବା ସୁନା ଚେନ୍ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ । ହେଲେ ଚେନଟି ମୋଟା ହୋଇଥିବବାରୁ ଏହା ସହଜରେ ଛିଡିନଥିଲା । ଫଳରେ ମହିଳା ଜଣଙ୍କ ପଛକୁ ଟାଣି ହୋଇ ଗାଡିରୁ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ୩ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଜୀବନ ହାରିଥିଲେ ।
ଏଭଳି ଅଭାବନୀୟ ଘଟଣା ଘଟିବା ପରେ ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ସ୍ପେଶାଲ ସ୍କ୍ୱାର୍ଡ ସହାୟତାରେ ପାଖାପାଖି ୪୦୦ ସିସିଟିଭିକୁ ଯାଞ୍ଚ କରି ଶେଷରେ ଚେନ୍ ଟାଣିଥିବା ଲୋକଟି ଧରାପଡିଥିବା ବେଳେ ଗାଡି ଚଲାଉଥିବା ଲୋକଟି ଫେରାର ରହିଛି । ଯାହାକୁ ଧରିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି ।