ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ସମ୍ବିଧାନର ପ୍ରସ୍ତାବନାରେ ୧୯୭୬ରେ ପାରିତ ହୋଇଥିବା ୪୨ ତମ ସଂଶୋଧନ ଅନୁଯାୟୀ “ସମାଜବାଦୀ” ଏବଂ “ଧର୍ମନିରପେକ୍ଷ” ଶବ୍ଦକୁ ହଟାଇବାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।
ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ପିଭି ସଂଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି ।
ଏହା ପୂର୍ବରୁ ଖଣ୍ଡପୀଠ ଆବେଦନକାରୀଙ୍କ ଏହି ମାମଲାକୁ ଏକ ବୃହତ ଖଣ୍ଡପୀଠକୁ ପଠାଇବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲା । ପ୍ରକାଶ ଥାଉକି, କିଛି ଓକିଲଙ୍କ ପ୍ରତିବନ୍ଧକ ଯୋଗୁଁ ବିରକ୍ତ ହେବା ପରେ ସିଜେ ଖାନ୍ନା ଏହି ଆଦେଶ ଘୋଷଣା କରିବାକୁ ଯାଉଥିଲେ, କିନ୍ତୁ ସେ ସୋମବାର ଏହି ଆଦେଶ ଘୋଷଣା କରିବେ ବୋଲି କହିଥିଲେ ।
ସୂଚନାଯୋଗ୍ୟ, ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ଵାଧୀନ କଂଗ୍ରେସ ସରକାର ସମୟରେ ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏଥିରେ ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ଓ ‘ଅଖଣ୍ଡତା’ ଶବ୍ଦକୁ ଯୋଡ଼ାଯାଇଥିଲା । ହେଲେ ଏହି ଶବ୍ଦ ଦ୍ବୟକୁ ହଟାଇବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟ ସ୍ଵାମୀ, ସମାଜ ସେବୀ ବଳରାମ ସିଂ ଓ ଆଇନଜୀବୀ ଅଶ୍ଵିନୀ ଉପାଧ୍ୟାୟ । ଶୁକ୍ରବାର ଏହି ମାମଲା ଉପରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।