ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ପ୍ରତିଷ୍ଠାତା ଲଳିତ ମୋଦି ଏକ ପୋଡକାଷ୍ଟରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଇପିଏଲରେ ଅମ୍ପାୟର ମ୍ୟାଚ ଫିକ୍ସ କରୁଥିଲେ । ଚେନ୍ନାଇ ସୁପର କିଙ୍ଗସର ମାଲିକ ଏନ.ଶ୍ରୀନିବାସନ ମ୍ୟାଚ ବେଳେ ଚେନ୍ନାଇର ଅମ୍ପାୟରଙ୍କୁ ନିୟୋଜିତ କରୁଥିଲେ । ଏପରିକି ଇଂଲଣ୍ଡର ଆଣ୍ଡ୍ର୍ୟୁ ଫ୍ଲିଂଟଫଙ୍କୁ ନେବା ପାଇଁ ନିଲାମ ମଧ୍ୟ ଫିକ୍ସ କରିଥିଲେ ବୋଲି ମୋଦି କହିଛନ୍ତି । ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମଙ୍କ ନିକଟରୁ ତାଙ୍କୁ ମୃତ୍ୟୁ ଧମକ ମିଳିବାରୁ ସେ ଭାରତ ଛାଡିଥିଲେ ।
ସୂଚନାଯୋଗ୍ୟ, ବିସିସିଆଇର ୨୫୩ କୋଟି ଟଙ୍କା ସେ ଖାଇଥିବା ଅଭିଯୋଗ ରହିଛି । ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ମଧ୍ୟ ବେଶ ଚର୍ଚ୍ଚା ସାଉଁଟିଥିଲା । ୨୦୦୫ରୁ ୧୦ ପର୍ଯ୍ୟନ୍ତ ସେ ବିସିସିଆଇର ଉପସଭାପତି ଥିଲେ । ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଆଇପିଏଲର ଚେୟାରମ୍ୟାନ ଓ କମିଶନର ରହିଥିଲେ । ୨୦୧୦ରେ ଟଙ୍କା ହେରଫେର କରିବା ଅଭିଯୋଗ ପରେ ତାଙ୍କୁ ଆଇପିଏଲରୁ ସସପେଣ୍ଡ କରି ଦିଆଯାଇଥିଲା ।