Latest Odisha News

ମାଣବସା ଗୁରୁବାର: ଜାଣନ୍ତୁ ଦେବୀଲକ୍ଷ୍ମୀଙ୍କର ଅନ୍ୟ ନାମ…

ଭୁବନେଶ୍ଵର: ଆମ ଓଡ଼ିଆଙ୍କ ପରମ୍ପରା ବିଷୟରେ କାହାକୁ ବା ଜଣା ନାହିଁ। ଏଠାରେ ପ୍ରତିଟି ପର୍ବ ପର୍ବାଣୀ କୁ ଖୁବ ଖୁସିର ସହ ଲୋକ ପାଳନ କରିଥାନ୍ତି। ପ୍ରତିଟି ମାସରେ ଏଠାରେ କିଛି ନା କିଛି ପୂଜା ପାଳନ କରାଯାଏ। ସେଥିମଧ୍ୟରୁ ମାଣବାସା ଏକ । ମାଣବସା ଗୁରୁବାର ଓଷା ମାଣ ଓଷା ନାମରେ ମଧ୍ୟ ଜଣାଶୁଣା। ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ପୂଜା କରାଯାଏ ।

ରୂପ ଓ ଲାବଣ୍ୟରେ ଲକ୍ଷ୍ମୀ ଦେବୀମାନଙ୍କ ଭିତରେ ଶ୍ରେଷ୍ଠ । ସେଥିପାଇଁ ସେ ‘ମହାଲକ୍ଷ୍ମୀ’ ଭାବରେ ଅଭିହିତା ହୁଅନ୍ତି । ବଳରାମ ଦାସ ‘ଲକ୍ଷ୍ମୀପୁରାଣ’ରେ ତାଙ୍କୁ ‘ପରମଲକ୍ଷ୍ମୀ’ ବୋଲି କହିଛନ୍ତି । ତେବେ ଦେବୀଲକ୍ଷ୍ମୀଙ୍କ ରହିଛି ଅନେକ ନାମ । ଅମରକୋଷରେ ତାଙ୍କର ବିଭିନ୍ନ ନାମର ଉଲ୍ଲେଖ ରହିଛି । କିନ୍ତୁ ଅବସ୍ଥାନ ଭେଦରେ ତାଙ୍କର ଭିନ୍ନ ଭିନ୍ନ ନାମ ରହିଛି । ସ୍ୱର୍ଗଲୋକରେ ଇନ୍ଦ୍ରଙ୍କର ସଂପତି ରୂପେ ତାଙ୍କ ନାମ ‘ସ୍ୱର୍ଗଲକ୍ଷ୍ମୀ’ । ସେହିପରି ମର୍ତ୍ତ୍ୟଲୋକ ଓ ପାତାଳଲୋକରେସେ ରାଜାମାନଙ୍କ ନିମନ୍ତେ ତାଙ୍କ ନାମ ‘ରାଜଲକ୍ଷ୍ମୀ’ । କିନ୍ତୁ ଗୃହସ୍ଥମାନଙ୍କ ପାଇଁ ମା’ ଲକ୍ଷ୍ମୀ ‘ଗୃହଲକ୍ଷ୍ମୀ’ ରୂପେ ବିବେଚିତ ହୁଅନ୍ତି । ଏଣୁ ଯେଉଁ ସ୍ଥାନରେ ଲକ୍ଷ୍ମୀ ନଥାନ୍ତି , ସେହି ସ୍ଥାନ ଶ୍ରୀ’ହୀନ ବା ଲକ୍ଷ୍ମୀଛଡା ହୋଇଯାଏ । ଦେବୀ ଲକ୍ଷ୍ମୀ ଶସ୍ୟରେ ମଧ୍ୟ ଅବସ୍ଥାନ କରନ୍ତି । ତେଣୁ ତାଙ୍କର ଅନ୍ୟନାମ ‘ଶସ୍ୟଲକ୍ଷ୍ମୀ’ । ଶୁକ୍ଳଧାନକୁ ତାଙ୍କର ପ୍ରତୀକ ରୂପେ ଗ୍ରହଣ କରାଯାଏ ।

ପୁରାଣ ଅନୁଯାୟୀ ମହାଲକ୍ଷ୍ମୀ ହେଉଛନ୍ତି ପବିତ୍ରତା ଓ ସ୍ୱାତ୍ତ୍ୱିକତାର ପ୍ରତୀକ । ମହାଲକ୍ଷ୍ମୀ ପବିତ୍ର ଉଦ୍ଦେଶ୍ୟ,ପରିଶ୍ରମ ଓ ନିଷ୍ଠା ସହିତ ସମାଜର ହିତକୁ ଦୃଷ୍ଟିରେ ରଖି ଅର୍ଜିତ ସଂପତ୍ତି ବା ଧନର ଦେବୀ ଅଟନ୍ତି। ଦୁର୍ନୀତ ଉପାୟରେ ଅର୍ଜିତ ସଂପତ୍ତି ବା ଧନକୁ‘ଲକ୍ଷ୍ମୀ’ବୋଲି କୁହାଯାଇପାରିବ ନାହିଁ। ମହାଲକ୍ଷ୍ମୀଙ୍କୁ ‘ଚଞ୍ଚଳା’ବୋଲି କୁହାଯାଇଥାଏ,କିନ୍ତୁ ଖୋଲା ହୃଦୟରେ ତାଙ୍କର ପୂଜାର୍ଚ୍ଚନା କରିଲେ ,ଯେ କେହିବି ତାଙ୍କୁ ନିଜ ପାଖରେ ସ୍ଥାୟୀ ଭାବେ ରଖିପାରେ!ଏପରି ନ କରିଲେ ମାଆ ଲକ୍ଷ୍ମୀ ସେହି ବ୍ୟକ୍ତିର ପଛରେ ଦାରିଦ୍ର୍ୟ ଛାଡ଼ିଦେଇ ଯାଇଥାଆନ୍ତି ଏବଂ ସଦୈବ ତାଙ୍କ ଜୀବନଠାରୁ ବିଦାୟ ନେଇଥା’ନ୍ତି। ଅଳସୁଆ ଓ ପରିଶ୍ରମଭୀରୁ ଲୋକଙ୍କ ପ୍ରତି ଲକ୍ଷ୍ମୀ ସର୍ବଦା ଅସନ୍ତୁଷ୍ଟ ଥାଆନ୍ତି ବୋଲି ‘ମହାଭାରତ’ରେ ଉଲ୍ଲିଖିତ ରହିଛି। ପଦ୍ମପୁଷ୍ପର ଆରାଧନାରେ ମାଆ ମହାଲକ୍ଷ୍ମୀ ପ୍ରସନ୍ନ ହୋଇଥା’ନ୍ତି।

ତେବେ ପ୍ରତ୍ୟେକ ଓଡ଼ିଆ ଘରଣୀଙ୍କ ପାଇଁ ମାର୍ଗଶୀର ମାସ ଗୁରୁବାର ର ମାହତ୍ୱ ବେଶ ଅଧିକ ରହିଛି। ଏହିଦିନ ନାରୀମାନେ ମାଆ ଲକ୍ଷ୍ମୀଙ୍କ ନିମିତ୍ତ ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ ମନାସି ଘରର ଶ୍ରୀ, ସମୃଦ୍ଧିପାଇଁ ପୂଜା ର୍ଚ୍ଚନା କରାଯାଏ।

 

Leave A Reply

Your email address will not be published.