Latest Odisha News

ସାଂସଦ ପ୍ରିୟଙ୍କାଙ୍କ ପାଇଁ ଅଗ୍ନିପଥ

ନୂଆଦିଲ୍ଲୀ: କେରଳ ଓ୍ବାଏନାଡରୁ ବମ୍ପର ବିଜୟ ପରେ ଲୋକସଭାରେ ପ୍ରିୟଙ୍କା ଗାନ୍ଧୀଙ୍କ ଡେବ୍ୟୁ । ହାତରେ ସମ୍ବିଧାନ ପୁସ୍ତକ ଓ ଧଳା ରଙ୍ଗର କେରଳୀ କସାବୁ ସାଢୀ ପିନ୍ଧି ସଂସଦରେ ଶପଥ ଗ୍ରହଣ କରିଛନ୍ତି ପ୍ରିୟଙ୍କା । ତାଙ୍କ ଏଣ୍ଟ୍ରି ସହ ସଂସଦରେ ଗାନ୍ଧୀ ପରିବାରର ସଦସ୍ୟ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ୧୯୯୯ରେ ମାଆଙ୍କ ପାଇଁ ପ୍ରଚାର କରିବାଠୁ ଆରମ୍ଭ କରି କେରଳ ଓ୍ବାଏନାଡରୁ ସାଂସଦ ଭାବେ ଶପଥ ଗ୍ରହଣ, ପ୍ରିୟଙ୍କାଙ୍କ ପାଖରେ ଦୁଇ ଦଶନ୍ଧୀରୁ ଅଧିକ ସମୟର ରାଜନୈତିକ ଅଭିଜ୍ଞତା । କେତେବେଳେ ଦଳ ପାଇଁ ସଂକଟମୋଚକ ସାଜିଛନ୍ତି ତ କେତେବେଳେ ଆଶ୍ଚର୍ଯ୍ୟଜନକ ବିଜୟ ଆଣିଛନ୍ତି ପୁଣି କେବେ ବଡ ପରାଜୟର ସାମନା କରିଛନ୍ତି । ପ୍ରିୟଙ୍କା ନିର୍ବାଚନ ରାଜନୀତିକୁ ଆସିବାରେ ବିଳମ୍ବ ହୋଇଛି ସତ ହେଲେ ସାଂସଦ ଭାବେ ପ୍ରିୟଙ୍କାଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ସହ ସୁଯୋଗ ବି ରହିଛି ।

ଭଲ ବକ୍ତା…ଇନ୍ଦିରା ଫ୍ୟାକ୍ଟର

କଂଗ୍ରେସରେ ସଂକଟ ବେଳେ ଜଣେ ଭଲ ରଣନୀତିକାର ଭୂମିକାରେ ସଫଳ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ସଂସଦରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଗତିରୋଧ ବେଳେ କଂଗ୍ରେସ ପକ୍ଷରୁ ପ୍ରିୟଙ୍କା ନେତୃତ୍ବ ନେଇପାରନ୍ତି। ଜଣେ ଭଲ ବକ୍ତା ଭାବେ ଜଣାଶୁଣା ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ସ୍ବରକୁ ଲୋକସଭାରେ ଆହୁରି ସୁଦୃଢ କରିବେ । ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରିୟଙ୍କାଙ୍କ ଭଲ ଦଖଲ ରହିଛି । ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦଳର ସ୍ବରକୁ ସାରା ଦେଶରେ ପହଞ୍ଚାଇବାରେ ମାଧ୍ୟମ ହୋଇପାରିବେ ପ୍ରିୟଙ୍କା । ତାଙ୍କ ବ୍ୟକ୍ତିତ୍ବ କେବଳ କଂଗ୍ରେସ ନୁହେଁ ମେଣ୍ଟ ସହଯୋଗୀଙ୍କୁ ବି ଏକାଠି ଆଣିବାରେ ସହଯୋଗ କରିବ । ଅନେକ ସମୟରେ ପ୍ରିୟଙ୍କାଙ୍କୁ ତାଙ୍କ ଜେଜେମାଆ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରାଯାଏ । ଇନ୍ଦିରା ଫ୍ୟାକ୍ଟରକୁ ନେଇ ପ୍ରିୟଙ୍କାଙ୍କଠାରୁ ଅଧିକ ଆଶା ରହିଛି । ତେଣୁ ସୁଯୋଗ ମିଳିଲେ ରାଜନୈତିକ ପକଡ ସୁଦୃଢ କରିପାରନ୍ତି ପ୍ରିୟଙ୍କା ।

ସହଜ ନୁହେଁ ସଂସଦ ପଥ

ଦୀର୍ଘ ଦିନ ହେବ ରାଜନୀତିରେ ସକ୍ରିୟ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ତେବେ ସଂସଦୀୟ ରାଜନୀତି ଭିନ୍ନ । ଗଣମାଧ୍ୟମ ସାମନାରେ ରାଜନୀତିର ନୂଆ ପିଚରେ ଖେଳିବା ପ୍ରିୟଙ୍କାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ପ୍ରିୟଙ୍କା ଲୋକସଭାରେ ଏଣ୍ଟ୍ରି କରିବା ସହ ବିଜେପିର ବଂଶବାଦ ରାଜନୀତିକୁ ନେଇ ଆକ୍ରମଣ ଆହୁରି ବଢିବ । କାରଣ ଗାନ୍ଧୀ ପରିବାରର ତିନି ଜଣ ସଦସ୍ୟ ସଂସଦରେ ରହିଛନ୍ତି । ନିର୍ବାଚନ ପ୍ରଚାର କରିବା ଓ ସଂସଦରେ ବିଧେୟକ, ନୀତିକୁ ନେଇ ଚର୍ଚ୍ଚା ଆଲୋଚନା କରିବା ଭିନ୍ନ କଥା । ଜାତୀୟ ପ୍ରସଙ୍ଗ ସହ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଗଭୀର ଜ୍ଞାନ ଆବଶ୍ୟକ । ତେଣୁ ପ୍ରିୟଙ୍କା କେମିତି ପ୍ରଦର୍ଶନ କରୁଛନ୍ତି, ତାଉପରେ ସାରା ଦେଶର ନଜର ରହିବ ।

ରାହୁଲ ଗାନ୍ଧୀ ଓ୍ବାଏନାଡ ସିଟ୍ ଖାଲି କରିବା ପରେ ଉପନିର୍ବାଚନ ଜିତି ଲୋକସଭାରେ ପହଞ୍ଚିଛନ୍ତି ପ୍ରିୟଙ୍କା । ୪ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଭାଇ ରାହୁଲ ଗାନ୍ଧୀଙ୍କ ସହ କେନ୍ଦ୍ରର ଏନଡିଏ ସରକାରଙ୍କୁ ଘେରିବେ ପ୍ରିୟଙ୍କା । ଏହାପୂର୍ବରୁ ସେ ହିମାଚଳପ୍ରଦେଶରୁ କର୍ଣ୍ଣାଟକ, ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ପ୍ରଚାର କମାଣ ସମ୍ଭାଳିଛନ୍ତି । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରର  ବିଜେପି ସରକାରକୁ ପୂର୍ବରୁ ଘେରିଛନ୍ତି ପ୍ରିୟଙ୍କା । ଏବେ ସଂସଦରେ ସରକାରଙ୍କୁ କେମିତି ଟାର୍ଗେଟ୍ କରିବେ, ତାଉପରେ ନଜର ରହିବ ।

Leave A Reply

Your email address will not be published.