ନୂଆଦିଲ୍ଲୀ: ତାଜମହଲକୁ ବୋମାରେ ଉଡାଇଦେବାକୁ ଧମକ। ଆଗ୍ରାରେ ଥିବା ଐତିହାସିକ ତାଜମହଲକୁ ମଙ୍ଗଳବାର ଇମେଲ୍ ମାଧ୍ୟମରେ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ସ୍କୁଲ, ଏୟାରପୋର୍ଟ ପରେ ଏବେ ବିଶ୍ବ ଐତିହ୍ୟସ୍ଥଳକୁ ଉଡାଇବା ଧମକ ଆସିଛି। ଧମକ ପରେ ଏହା ଏକ ପ୍ରକାର ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଜମହଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଆଗ୍ରା ପୋଲିସ ତତ୍ପରତା ପ୍ରକାଶ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ଏସିପି ସୈୟଦ ଅହମ୍ମଦ କହିଛନ୍ତି, ‘ପର୍ଯ୍ୟଟନ ବିଭାଗକୁ ଏହି ଧମକପୂର୍ଣ୍ଣ ଇମେଲ୍ ମିଳିଛି । ତାଜଗଞ୍ଜ ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।’
ଇମେଲ୍ ମିଳିବା ପରେ ବୋମା ନିରୋଧୀ ଦଳ ଏବଂ ପୋଲିସ ମିଳିତ ଭାବେ ତାଜମହଲ୍ରେ ପ୍ରବେଶ କରି ଛାନଭିନ କରିଛନ୍ତି। ତାଜମହଲ ସମେତ ପର୍ଯ୍ୟଟକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବ୍ୟାପକ ଅଭିଯାନ ଜାରି ରହିଛି। ତେବେ ଭାରତରେ ବିଦ୍ୟାଳୟ ଏବଂ ଏୟାର ଲାଇନ୍ସ ସମେତ ବିଭିନ୍ନ କ୍ଷେତ୍ରକୁ ଧମକ ମିଳିବା ମାମଲା ବୃଦ୍ଧି ହେବାରେ ଲାଗିଛି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ବିମାନଗୁଡ଼ିକୁ ଲଗାତାର ଧମକ ମିଳିଥିଲା। ଏହାଦ୍ବାରା ଯାତ୍ରୀଙ୍କୁ ବହୁ ଅସୁବିଧାର ସାମନା କରିବାକୁ ପଡ଼ିଥିବା ବେଳେ ଏୟାର ଲାଇନ୍ସ କ୍ଷତି ସହିଥିଲେ। ଏକ ରିପୋର୍ଟ ଅନୁସାରେ, ଅଗଷ୍ଟ ୨୦୨୨ରୁ ୧୩ ନଭେମ୍ବର ୨୦୨୪ ମଧ୍ୟରେ ଘରୋଇ ଏୟାର ଲାଇନ୍ସକୁ ଅତିକମ୍ରେ ୧୧୪୩ ଥର ବୋମା ଧମକ ମିଳିଛି । କେବଳ ୨୦୨୪ରେ ଏଭଳି ୯୯୪ଟି ମାମଲା ସାମ୍ନାକୁ ଆସିଛି । ଏହା ଭାରତର ସୁରକ୍ଷା ପ୍ରତି ବଡ଼ ଆହ୍ବାନ ସୃଷ୍ଟି କରିଛି ।