Latest Odisha News

BREAKING NEWS

ଘରେ ବନାନ୍ତୁ ଏହି ୪ ଜୈବିକ ଖତ, ଗଛରେ ଭରି ଯିବ ଫୁଲଫଳ

ଭୁବନେଶ୍ବର: ନିଜର ଘର ବାଡିରେ ଫୁଲ,ଫଳ ଓ ପନିପରିବା ଗଛ ଲଗାଇବାକୁ ସମସ୍ତଙ୍କୁ ଭଲ ଲାଗେ । ବଗିଚାଟି ଦେଖିବାକୁ ସୁନ୍ଦର ଲାଗେ ଏଥିସହ ଘରର ଖର୍ଚ୍ଚ ମଧ୍ୟ ଟିକେ ବଞ୍ଚିଯାଏ ଓ ରାସାୟନିକ ସାର ଦିଆ ପନିପରିବା ଫଳ ଠାରୁ ବି କିଛି ମାତ୍ରାରେ ଦୂରେଇ ରହି ହୁଏ । ତେବେ ଆପଣ ବି ନିଜର ବଗିଚାରେ ଜୈବିକ ଖତ ବ୍ୟବହାର କରି ଅର୍ଗାନିକ ଫଳ ଫୁଲ ପରିବା ପାଇପାରିବେ । ଏହି ଜୈବିକ ଖତ ଆପଣ ନିଜେ ଘରେ ବନେଇ ପାରିବେ । ଆସନ୍ତୁ ଜାଣିବା ..

ରୋଷେଇଘରର ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତ କରନ୍ତୁ – ରୋଷେଇ ଘରର ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କମ୍ପୋଷ୍ଟ ବିଷୟରେ ସମସ୍ତେ ଜାଣନ୍ତି କିନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ ଜାଣନ୍ତି ନାହିଁ । ପ୍ରଥମେ ଫଳ ଏବଂ ପନିପରିବାର ଚୋପା ସଂଗ୍ରହ କରି ଏକ ପାତ୍ରରେ ରଖନ୍ତୁ । ଚୋପା ଯେତିକି ଥିବ ସେହି ପରିମାଣର ଗୋବର ମିଶାଇ ଦେବେ । ଏହାପରେ ୨ଗୁଣା ପାଣି ଦେଇ ଉକ୍ତ ପାତ୍ରକୁ ଘୋଡେଇ ଛାଇ ସ୍ଥାନରେ ରଖି ଦିଅନ୍ତୁ । ପ୍ରତିଦିନ ଗୋଟେ ବାଡି ଦ୍ବାରା ଉକ୍ତ ମିଶ୍ରଣକୁ ୫ମିନିଟ୍ ଘାଣ୍ଟି ଦେବେ । ପ୍ରାୟ ୧୦ଦିନ ପରେ ଖତ ତିଆରି ହୋଇଯିବ ।

କୋକୋପିଟ୍ ପ୍ରସ୍ତୁତ କରିବାର ପ୍ରକ୍ରିୟା- ଅଧିକାଂଶ ଲୋକ କୋକୋପିଟ୍ ଖତ ବିଷୟରେ ଶୁଣିଛନ୍ତି କିନ୍ତୁ ଏହାକୁ କିପରି ପ୍ରସ୍ତୁତ କରିବେ ଜାଣନ୍ତି ନାହିଁ | ନଡ଼ିଆ କତାରୁ ଏହି ଖତ ପ୍ରସ୍ତୁତ ହୁଏ । ପ୍ରଥମେ ନଡିଆ କତା ଏକତ୍ରିତ କରନ୍ତୁ । ସେହି କତାକୁ ଛୋଟ ଛୋଟ କରିଦେବେ ତା ପରେ ଗ୍ରାଇଣ୍ଡରରେ କତାର ପାଉଡର କରି ଦିଅନ୍ତୁ । ଯେତିକି ପରିମାଣର ପାଉଡର ହେଇଥିବ ସେତିକି ପାଣିରେ ଭିଜେଇକି ୨୪ଘଣ୍ଟା ପାଇଁ ରଖିଦିଅନ୍ତୁ । ଏହାପରେ ସେହି ଖତକୁ ଚିପୁଡିକି ଗଛ ମୂଳରେ ଦିଅନ୍ତୁ ।

ଚାହା ପତିରୁ ଖତ- ଚାହା କରିବା ପରେ ଚାହା ପତିକୁ ନଫୋପାଡି ତାକୁ ପାଣିରେ ଧୋଇ ଦିଅନ୍ତୁ ଯେପରିକି ସେଥିରୁ କ୍ଷୀର, ଚିନି ଅଂଶ ଧୋଇ ହେଇ ଯିବ । ସେହି ଚାହା ପତିକୁ ଖରାରେ ଦୁଇ ଦିନ ଭଲରେ ଶୁଖେଇ ଦିଅନ୍ତୁ । ବାସ୍ ଏହାପରେ ଖତ ପ୍ରସ୍ତୁତ । ଏହି ଖତରୁ 2 ଚାମଚ ଲେଖାଏଁ ଗଛ କୁଣ୍ଡ ମାଟିରେ ଦେଇଦେଲେ ମାଟିକୁ ପୋଷଣ ମିଳିଯାଏ । ଗଛ ଭଲରେ ବଢି ଥାଏ ।

ଗୋବରରୁ ଖତ ପ୍ରସ୍ତୁତି- ଆପଣ ବି ଗୋବର ଖତ କରିବାକୁ ଚାହୁଁଛନ୍ତି କି , ତାହେଲେ 5 କେଜି ଗୋବର , 5 ଲିଟର ଗୋମୁତ୍ର , ଅଧା କିଲୋ ବେସନ, ଅଧା କିଲୋ ଗୁଡକୁ ନେଇ ଗୋଟିଏ ମାଠିଆରେ ଭରି ଦିଅନ୍ତୁ । ସେଥିରେ ୫ ଲିଟର ପାଣି ଢାଳି ଦିଅନ୍ତୁ । ପ୍ରତିଦିନ ଗୋଟିଏ ବାଡି ସାହାଯ୍ୟରେ ଉକ୍ତ ମିଶ୍ରଣକୁ ଘାଣ୍ଟନ୍ତୁ । ୮ ଦିନ ପରେ ଆପଣ ଦେଖିବେ ଖତ ପ୍ରସ୍ତୁତ ହୋଇଯାଇଥିବ । ଏହାକୁ ଥଣ୍ତା ଛାଇ ସ୍ଥାନରେ ଷ୍ଟୋର କରି ରଖି ପାରିବେ । ଏହି ଖତ ଗଛ ପାଇଁ ବହୁତ ଲାଭଦାୟକ ।

Leave A Reply

Your email address will not be published.