ପୁରୀ: ଆସନ୍ତାକାଲି ଅର୍ଥାତ୍ ୪ ତାରିଖରେ ପୁରୀ ବେଳାଭୂମୀରେ ନୌସେନା ଦିବସ ପାଳନ ହେବ । ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଏହାକୁ ନଜରରେ ରଖି ଆସନ୍ତାକାଲି ପୁରୀ ପୌରପାଳିକାର ସମସ୍ତ ସ୍କୁଲ୍ ବନ୍ଦ ରହିବ ।
ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ ଓ ବେସରକାରୀ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲ୍ ବନ୍ଦ ରହିବ । ଏଥିସହ ସହର ନିକଟବର୍ତ୍ତୀ ମଦର୍ସ ପବ୍ଲିକ ସ୍କୁଲ, ପ୍ରଭୁଶ୍ରୀ ଇଂଲିଶ ମିଡିୟମ୍ ସ୍କୁଲ, ଚନ୍ଦ୍ରଶେଖର ଏକାଡେମୀ, ସେଣ୍ଟ ଜାଭିୟର ସ୍କୁଲ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିର୍ଦ୍ଧାଥ ଶଙ୍କର ସ୍ବାଇଁ ।
ତେବେ ଏନସିଇଆରଟି ଦ୍ୱାରା ପରିଚାଳିତ ‘ପରଖ’ ପରୀକ୍ଷା ହେବ । ପରୀକ୍ଷାର୍ଥୀ ମାନେ ସକାଳ ୭ଟାରୁ ୧୨ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇପାରିବେ ବୋଲି ନିଷ୍ପତ୍ତି ହୋଇଛି ।
ନୌସେନା ଦିବସରେ ପୁରୀ ବେଳାଭୂମିରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ନୌସେନା । ଏଥିରେ ୧୫ଟି ଜାହାଜ, ୪୦ଟି ଏୟାରକ୍ରାଫ୍ଟ ସାମିଲ ହେବେ ବୋଲି ଜଣାପଡିଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଡା ସୁରକ୍ଷା ବଳୟ ଭିତରେ ରହିଛି ପୁରୀ ସହର ।