ହାଇଦ୍ରାବାଦ: ନିକଟରେ ରିଲିଜ୍ ହୋଇଥିବା ଅଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’ର ପ୍ରିମିୟର ଶୋ’ ବେଳେ ହାଇଦ୍ରାବାଦର ଏକ ଥିଏଟର ସାମ୍ନାରେ ଦଳଚକଟାରେ ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇଦ୍ରାବାଦ ପୋଲିସ ଗତକାଲି ୩ ଜଣଙ୍କୁ ଗିରଫ କରିଛି। ସଂନ୍ଧ୍ୟା ଥିଏଟରର ମାଲିକ ଓ ମ୍ୟାନେଜରଙ୍କ ବ୍ୟତୀତ ଜଣେ ସିକ୍ୟୁରିଟି ହେଡ୍ ଙ୍କୁ ଅଟକ ରଖିଛି ପୋଲିସ ।
ରିପୋର୍ଟ ଅନୁଯାୟୀ, ସଂନ୍ଧ୍ୟା ଥିଏଟର ମାଲିକ ଏମ ସନ୍ଦୀପ, ସିକ୍ୟୁରିଟି ହେଡ୍ ଗନ୍ଧକମ୍ ବିଜୟ ଚନ୍ଦ୍ର ଏବଂ ମ୍ୟାନେଜର ଏମ ନାଗରାଜୁଙ୍କୁ ପୋଲିସ ଗିରଫ କରିଛି। ଭାରତୀୟ ଜଷ୍ଟିସ୍ କୋଡ୍ (ବିଏନ୍ଏସ୍) ର ଧାରା ୧୦୫, ୧୧୮(୧) ଏବଂ ୩(୫) ଅନୁଯାୟୀ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଫିଲ୍ମ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୪ ରେ ଅଭିନେତା ଅଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ପ୍ରିମିୟରରେ ଯୋଗ ଦେଇଥିଲେ । ପୋଲିସର ସୂଚନା ଅନୁସାରେ, ଫିଲ୍ମର ଟିମ୍ କି ଥିଏଟର ମ୍ୟାନେଜମେଣ୍ଟ ଥିଏଟରକୁ ଅଭିନେତା ଓ ଅଭିନେତ୍ରୀ ଆସିବା ନେଇ ପୋଲିସକୁ କୌଣସି ସୂଚନା ଦେଇନଥିଲେ । ସେଠାରେ ଅଲୁ ପହଞ୍ଚିବା ମାତ୍ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ଦଳାଚକଟା ପରିସ୍ଥିତି ଉପୁଜିଥିଲେ । ସେହି ଦଳଚକଟାରେ ଜଣେ ମହିଳା ତାଙ୍କ ଦୁଇ ପୁଅ ସହ ତଳେ ପଡିଯାଇଥିଲେ । ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଦୁଇ ପୁଅ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।
ସେପଟେ ମୃତକଙ୍କ ପରିବାର ଲୋକ ଅଭିନେତା ଅଲୁ ଅର୍ଜୁନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ବିଏନଏସର ଧାରା ୧୦୫, ୧୧୮(୧) ଏବଂ ୩(୫) ଅନୁଯାୟୀ ଅଲୁ ଅର୍ଜୁନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହା ପରେ ଅଲୁ ଅର୍ଜୁନ ତାଙ୍କ ସୋସିଆଲ ମିଡିଆରେ ମହିଳାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ଏହା ବ୍ୟତୀତ ଅଭିନେତା ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା ରାଶି ଦେବା ସହ ହସ୍ପିଟାଲରେ ଚିକିତ୍ସିତ ପିଲାମାନଙ୍କର ମେଡିକାଲ୍ ବିଲ୍ ଦେବେ ବୋଲି କହିଥିଲେ । ଏହା ବ୍ୟତୀତ ପିଲାମାନଙ୍କର ଭବିଷ୍ୟତର ସମସ୍ତ ଆବଶ୍ୟକତା ପୂରଣ କରିବେ ବୋଲି କହିଥିଲେ ଅଭିନେତା ଅଲୁ ଅର୍ଜୁନ ।
Comments are closed.