ଭୁବନେଶ୍ବର: ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ନୂଆବର୍ଷ ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ, ୩ ଦିନ ଧରି ପ୍ରବାସୀ ଭାରତୀୟ ଅଷ୍ଟମ ସଂସ୍କରଣ ଆୟୋଜିତ ହେବାକୁ ଯାଇଛି । ଏଥିପାଇଁ ଆସନ୍ତା ବର୍ଷ ଜାନୁଆରୀ ୭ରୁ ୧୧ ତାରିଖ ଭିତରେ ଭୁବନେଶ୍ବରରେ ମୋଟ ୧୦ ଟି ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ରାଷ୍ଟ୍ରପତି ମୁର୍ମୁଙ୍କ ସମେତ ପ୍ରଧାନମନ୍ତ୍ରୀ ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ପ୍ରମୁଖ ସାମିଲ ହେବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ଏନେଇ ମୁଖ୍ୟମନ୍ତ୍ରୀ ଖୋଦ୍ ଏହାର ସମୀକ୍ଷା କଲାପରେ କହିଛନ୍ତି, ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେଉଛି । ବିଶ୍ବ ଦରବାରରେ ଓଡିଶାକୁ ପ୍ରତିଷ୍ଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ତେଣୁ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ତ୍ରୁଟିଶୂନ୍ୟ ଭାବେ ଆୟୋଜିତ କରିବ ରାଜ୍ୟ ।
ଏହି କାର୍ଯ୍ୟକ୍ରମରେ ମୋଟ ୭୫୦୦ ଡେଲିଗେଟ୍ସ ଯୋଗ ଦେବାର କାର୍ଯ୍ୟକ୍ରମର ରହିଥିବା ବେଳେ ସେମାନଙ୍କ ପାଇଁ ୩୭୦୦ରୁ ଅଧିକ ରୁମ ବୁକିଂ ହୋଇଛି । ଆଉ କିଛି କିଛି ସ୍ଥନରେ ସେମାନଙ୍କ ପାଇଁ ହୋମ ଷ୍ଟେର ବ୍ୟବସ୍ଥା କରାଯାଇଛି । ଅତିଥିମାନଙ୍କ ବୁଲିବା ପାଇଁ ଭୁବନେଶ୍ବର, ପୁରୀ, କୋଣାର୍କ, ଯାଜପୁର ଆଦି ସହରର ମୋଟ ୨୮ଟି ପର୍ଯ୍ୟଟନ ସ୍ଥଳକୁ ଚୟନ କରାଯାଇଛି ।
ତେବେ କାର୍ଯ୍ୟକ୍ରମର ପ୍ରଥମ ଦିନ ଜାନୁଆରୀ ୮ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର, ଦ୍ବିତୀୟ ଦିନ ଜାନୁଆରୀ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶେଷ ଦିନ ଜାନୁଆରୀ ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ ‘Unraveling India’s Best Kept Secret’ ଏବଂ ‘Odisha- the Land of Opportunities’ ଆଦି ବିଷୟ ଉପରେ ପ୍ଲେନାରୀ ସେସନ ଅନୁଷ୍ଠିତ ହେବ । ଏହା ସହିତ ଓଡିଶାର ଐତିହାସିକ ଗୌରବ, କଳା, ଭାସ୍କର୍ଯ୍ୟ, ସଙ୍ଗୀତ, ନୃତ୍ୟ, ଆଦିବାସୀ ସଂସ୍କୃତି, ଭାଷା, ସାହିତ୍ୟ, ପର୍ଯ୍ୟଟନ ସ୍ଥାନ ଆଦି ବିଭିନ୍ନ ବିଷୟ ଉପରେ ଡିଜିଟାଲ ଓ ଅନ୍ୟାନ୍ୟ ମାଧ୍ୟମରେ ଉପସ୍ଥାପନ କରାଯିବ । ୨୦୩୬ ଓ ୨୦୪୭ ମସିହାକୁ ଦୃଷ୍ଟିରେ ରଖି ଓଡିଶାର ଭିଜନକୁ ମଧ୍ୟ ପ୍ରଦର୍ଶନ କରାଯିବ ।