କଟକ:ସିଏମସି ଅବହେଳାକୁ ବିରୋଧ କରି କଟକ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତଙ୍କ ନେତୃତ୍ୱରେ କଟକ ବାଦାମବାଡ଼ି ଥାନା ସମ୍ମୁଖରେ ମଶାରୀ ଟାଙ୍ଗି ବିରୋଧ କରିବା ସହ ସିଏମସିର ସ୍ଵାସ୍ଥ୍ୟ ଅଧିକାରୀ ଓ କମିଶନରଙ୍କ ନାଁରେ ଏତଲା ଦିଆଯାଇଛି। କଟକ ସହରରେ ମଶା ମାନଙ୍କର ଘନତ୍ଵ ବୃଦ୍ଧି ହେବା ସହ ଉପଦ୍ରବ ମଧ୍ୟ ବଢ଼ି ଚାଲିଛି। ଖାଲି ସନ୍ଧ୍ୟା କି ରାତି ବୋଲି ନୁହେଁ, ଦିନ ବେଳା ମଧ୍ୟ ମଶା ଦାଉରୁ ନିସ୍ତାର ମିଳୁନାହିଁ। ମଶା ନିୟନ୍ତ୍ରଣରେ କଟକ ମହାନଗର ନିଗମ ବିଫଳ ହେଇଛି ବୋଲି ଆନ୍ଦୋଳନକାରୀ କହିଛନ୍ତି।
ସେହିପରି କଟକ ସହରରେ ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଏସବୁ ଦାୟିତ୍ଵ ସିଏମସି ଠିକା ସଂସ୍ଥା ଦେଇଥିବାରୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ବୁସ କଟିଙ୍ଗ, ଡ୍ରେନ ସଫେଇ,ରାସ୍ତା କଡ଼ ଅଳିଆ ସଫେଇ, ମଶା ମରା ତେଲ ଓ ଧୂଆଁ ଦେବା ଭଳି କାର୍ଯ୍ୟ ଠିକ ଭାବରେ ହେଉନାହିଁ। ଫଳରେ ମଶା ବଂଶ ବୃଦ୍ଧି ହୋଇ ଜନ ଜୀବନକୁ ଅସ୍ତବ୍ୟସ୍ତ କରିବା ସହ ଡେଙ୍ଗୁ ମ୍ୟାଲେରିଆ ପରି ମାରାତ୍ମକ ରୋଗ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି।
ଏହି ବିରୋଧ କାର୍ଯ୍ୟକ୍ରମରେ କଟକ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ଉପସଭାପତି ଶିଶିର ରଥ,ମନୋଜ ବିଶ୍ଵାଳ, କଟକ ନଗର(ଜିଲ୍ଲା)କଂଗ୍ରେସର ମୁଖପାତ୍ର ମାନସ ପରିଡ଼ା, ଜିଲ୍ଲା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ, ପୂର୍ବତନ କର୍ପୋରେଟର ପ୍ରଶାନ୍ତ ଭୋଇ ପ୍ରମୁଖ ଯୋଗ ଦେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଥିଲେ ।
Comments are closed.