Latest Odisha News

BREAKING NEWS

ଲୁଟ ପରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା

ସୁନ୍ଦରଗଡ଼: ବର୍ବରତାର ସମସ୍ତ ସୀମା ଟପିଲା। ଲୁଟ ପାଇଁ ଶେଷରେ ଜଣେ ଗର୍ଭବତୀଙ୍କୁ ବି ଛାଡିଲେନି ଲୁଟେରା। ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ମାରିଦେଲେ ଦୁର୍ବୃତ୍ତ। ସୁନ୍ଦରଗଡ଼ ବଣାଇ ଟିକାୟତପାଲି ଥାନା ଝିର୍ଡାପାଲି ଗାଁରେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଗାଁର ଦେବେନ୍ ବେହେରାଙ୍କ ଘରକୁ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇଥିଲେ। ମହିଳା ଜଣକ କବାଟ ଖୋଲିଲା ବେଳେ ବେକରୁ ସୁନା ଚେନ ଟାଣିଥିଲେ।

ମହିଳା ଜଣକ ଚିତ୍କାର କରିବାରୁ ଗୁଳି କରି ଚମ୍ପଟ ମାରିଥିଲେ ଦୁଇ ଦୁର୍ବୃତ୍ତ। ଗୁଳିଟି ସୀମାଙ୍କ ଛାତିର ବାମ ପଟରେ ବାଜିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ମହିଳାଙ୍କ ନାଁ ସୀମାମୟୀ ବେହେରା। ତାଙ୍କୁ ପ୍ରାୟ ୩୦ ବର୍ଷ ହୋଇଥିଲା। ସେ ୭ ମାସର ଗର୍ଭବତୀ ଥିଲେ। ଲୁଟ ପାଇଁ ହତ୍ୟା ନା ଅନ୍ୟ କୌଣସି କାରଣ ରହିଛି ସେନେଇ ଟିକାୟତପାଲି ପୋଲିସ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.