ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୨୦୨୪ରେ ଗୋଟିଏ ବି ଦିନିକିଆ ମ୍ୟାଚ ଜିତିବାରେ ସଫଳ ହୋଇନି । ଚଳିତ ବର୍ଷ ଗୋଟିଏ ପଟେ ଟି୨୦ ବିଶ୍ୱକପ ଜିତିଥିବା ବେଳେ ଅନ୍ୟ ପଟେ ଏହି ଅଲୋଡା ରେକର୍ଡ କରିଛି । ୧୯୭୯ ପରେ ଚତୁଥଁ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ଦିନିକିଆ ମ୍ୟାଚ ଜିତି ପାରିନି । ୧୯୭୪ରୁ ଭାରତୀୟ ଟିମ ଦିନିକିଆ ମ୍ୟାଚ ଖେଳି ଆସୁଛି । ୧୯୭୪, ୧୯୭୬ ଓ ୧୯୭୯ରେ ଟିମ ଇଣ୍ଡିଆ ଗୋଟିଏ ବି ଦିନିକିଆ ମ୍ୟାଚ ଜିତି ନ ଥିଲା । ୧୯୭୫ ବିଶ୍ୱକପରେ ଓ ୧୯୭୮ରେ ଭାରତ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲା । ୧୯୮୦ରୁ ୨୦୨୩ ପର୍ଯ୍ୟନ୍ତ ଭାରତ ଭଲ ପ୍ରଦର୍ଶନ କରିଥିଲା । ୨୦୨୪ରେ ଏହି ଧାରାରେ ବ୍ରେକ ଲାଗିଛି ।
ଭାରତ ଏବଂ ନ୍ୟୁଜିଲାଣ୍ଡ ଚଳିତ ବର୍ଷ ଗୋଟିଏ ବି ଦିନିକିଆ ମ୍ୟାଚ ଜିତି ନାହାନ୍ତି । ଅବଶ୍ୟ ଭାରତ ୨୦୨୪ରେ ୩ଟି ଦିନିକିଆ ମ୍ୟାଚ ଖେଳିଥିଲା । ଶ୍ରୀଲଙ୍କା ବିପକ୍ଷରେ ଭାରତ ୩ଟି ମ୍ୟାଚ ଖେଳିଥିଲା । ଏଥିରେ ଗୋଟିଏ ମ୍ୟାଚ ବାତିଲ ହୋଇ ଯାଇଥିବା ବେଳେ ୨ଟି ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୋଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ୨୦୨୪ରେ ୨ଟି ଅଲୋଡା ରେକର୍ଡ ରହିଛି । ଦିନିକିଆ ମ୍ୟାଚ ନ ଜିତବା ବ୍ୟତୀତ ଘରୋଇ ପରିବେଶରେ ନ୍ୟୁଜିଲାଣ୍ଡ ନିକଟରୁ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୦-୩ରେ ହାରିଥିଲା ।