Latest Odisha News

BREAKING NEWS

ଆରବିଆଇ ସମେତ ବିଭିନ୍ନ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ରଷିଆନ୍ ଭାଷାରେ ଅଫିସିଆଲ୍ ମେଲ୍‌କୁ ଆସିଛି ଧମକପୂର୍ଣ୍ଣ ମେସେଜ । ଏନେଇ ଥାନାରେ ଏତଲା ପରେ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ଗତ ମାସରେ ମଧ୍ୟ ରିଜର୍ଭ ବ୍ୟାଙ୍କକୁ ବୋମାରେ ଉଡାଇଦେବାକୁ ଧମକ ଆସିଥିଲା । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର କଷ୍ଟମର କେୟାର ନମ୍ବରକୁ ଏକ ଫୋନ କଲ ଆସିଥିଲା । ଧମକ ଦେଉଥିବା ବ୍ୟକ୍ତି ନିଜକୁ ଲଶ୍କର-ଇ-ତାଇବା ର ସିଇଓ ବୋଲି ପରିଚୟ ଦେଇଥିଲେ। ଏପରିକି ଉକ୍ତ ବ୍ୟକ୍ତି ଜଣଙ୍କ ସେଣ୍ଟ୍ରାଲ ବ୍ୟାଙ୍କକୁ ମଧ୍ୟ ବୋମାରେ ଉଡାଇଦେବାକୁ ଧମକ ଦେଇଥିଲେ।

ସେପଟେ ସକାଳୁ ସକାଳୁ ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମାରେ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ମେଲ୍ ଆସିଛି । ୪ ଦିନ ପୂର୍ବରୁ ଦିଲ୍ଲୀର ୪୦ଟି ସ୍କୁଲକୁ ବୋମାରେ ଉଡ଼ାଇ ଦେବାର ଧମକ ମିଳିଥିବା ବେଳେ ଆଜି ସକାଳୁ ପୁଣି ଏକାଧିକ ସ୍କୁଲକୁ ଏପରି ଧମକପୂର୍ଣ୍ଣ ମେଲ୍ ମିଳିଛି । ମେଲ୍ ପାଇବା ପରେ ସ୍କୁଲ ଆସିଥିବା ସମସ୍ତ ପିଲାଙ୍କୁ ଘରକୁ ପଠାଇ ଦେଇଛନ୍ତି ସ୍କୁଲ କର୍ତ୍ତୁପକ୍ଷ । ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ, ବମ୍ ଓ ଡଗ ସ୍କାଡ୍ ଏବଂ ଅଗ୍ନିଶମ ଅଧିକାରୀ ପହଞ୍ଚି ମେଲକୁ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଦିଲ୍ଲୀର ଅନେକ ସ୍କୁଲ, ବିମାନବନ୍ଦର, ସରକାରୀ କାର୍ଯ୍ୟାଳୟ ଆଦିକୁ ବାରମ୍ବାର ଏପରି ଧମକ ମିଳୁଥିବା ସତ୍ତ୍ବେ କିଏ ଓ କାହିଁକି ଏଭଳି ମେଲ ପଠାଉଛି ତାହା ଏବେବି ଅସ୍ପଷ୍ଟ ।

 

Comments are closed.