ହାଇଦ୍ରାବାଦ: ଗତକାଲି ହାଇକୋର୍ଟରୁ ଜାମିନ ପାଇବା ପରେ ମଧ୍ୟ ସାରା ରାତି ଜେଲରେ ରହିବା ପରେ ଆଜି ସକାଳୁ ଜେଲରୁ ଫେରିଛନ୍ତି ପୁଷ୍ପା ଷ୍ଟାର୍ ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଜେଲରୁ ବାହାରିବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ଅଲ୍ଲୁ ଅର୍ଜୁନ ଜେଲରୁ ବାହାରି ତାଙ୍କ ପିତା ଅଲ୍ଲୁ ଅରବିନ୍ଦଙ୍କ ସହ ଯାଇଥିବା ଦେଖିବାକୁ ମିଳିଥିଲା ।
ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନ ପ୍ରଥମେ ତାଙ୍କୁ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଲେ ମୁଁ ଭଲ ଅଛି, ବ୍ୟସ୍ତ ହେବାର କିଛି ନାହିଁ । ଆଇନକୁ ସମ୍ମାନ ଦିଏ, ସମସ୍ତ ପ୍ରକାର ସହଯୋଗ କରିବି । ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ସହ କ୍ଷମା ମାଗିଛନ୍ତି । ‘ଦୁର୍ଭାଗ୍ୟବଶତଃ ଏପରି ଘଟଣା ହୋଇଛି, ଏଥିପାଇଁ କ୍ଷମା ମାଗୁଛୁ । ସମ୍ପୃକ୍ତ ପରିବାର ପାଇଁ ଯାହା ଆବଶ୍ୟକ ସବୁ କରିବେ ବୋଲି ସେ କହିଛନ୍ତି । ୨୦ ବର୍ଷ ହେବ ଫିଲ୍ମ ଦେଖିବାକୁ ଯାଉଛି, ପୂର୍ବରୁ ଏପରି ହୋଇନଥିଲା
କହିରଖୁଛୁ ଯେ, ଗତ ୪ ତାରିଖ ରାତିରେ ହାଇଦ୍ରାବାଦର ସନ୍ଧ୍ୟା ସିନେମାହଲରେ ‘ପୁଷ୍ପା-୨’ ଫିଲ୍ମର ପ୍ରିମିୟର ଶୋ’ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ରାତି ପ୍ରାୟ ସାଢ଼େ ୧୦ଟାରେ ପ୍ରିମିୟର ଶୋ’ ପାଇଁ ଅଲ୍ଲୁ ହଲ୍ ବାହାରେ ପହଞ୍ଚିବା ସମୟରେ ତାଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା ହେବାରୁ ଦଳାଚକଟା ହୋଇଥିଲା। ଏଥିରେ ଏମ. ରେବତୀ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୋଲିସ ଅଲ୍ଲୁଙ୍କୁ ଉଦ୍ଦେଶ୍ୟ ନ ଥାଇ ହତ୍ୟା ମାମଲାରେ ଶୁକ୍ରବାର ତାଙ୍କ ବାସଭବନରୁ ଗିରଫ କରିଥିଲା, ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
Comments are closed.