ଭୁବନେଶ୍ଵର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓଡ଼ିଶା । ପ୍ରକୃତି ତା’ର ସମସ୍ତ ସୌନ୍ଦର୍ଯ୍ୟ ଯେପରି ଓଡ଼ିଶା ଉପରେ ଅଜାଡ଼ି ଦେଇଛି । ଯାହା ନଦେଖିଲେ ଆଖିକୁ ବିଶ୍ୱାସ ହେବନାହିଁ । ପର୍ଯ୍ୟଟନ ଋତୁର ଆଗମନରେ ପୁରୁଣା ବର୍ଷର କିଛି ସ୍ମୃତି ସାଉଁଟିବା ପାଇଁ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଲୋକେ ଆରମ୍ଭ କରିଦେଲେଣି ବୁଲାବୁଲି । ଓଡ଼ିଶାରେ ଏପରି ଅନେକ ଜିଲ୍ଲା ରହିଛି ଯାହାର ପ୍ରାକୃତିକ ଶୋଭାରାଜି ଆପଣଙ୍କୁ ମନ୍ତ୍ରମୁଗ୍ଧ କରିପକାଇବ । ଏହି ଜିଲ୍ଲାମାନଙ୍କ ମଧ୍ୟରେ ରହିଛି କଟକ ଜିଲ୍ଲା । ନୂଆ ବର୍ଷକୁ ଆଉ ଦିନ କେଇଟା ଥିବାବେଳେ ପରିବାର ସହିତ ସମୟ ବିତାଇବା ପାଇଁ କଟକଡ଼ ଜିଲ୍ଲାର ଦେଓଝର ଜଳପ୍ରପାତରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।
ସବୁଜ ଗଛଲତା ଦେଇ କୁଳୁକୁଳୁ ନାଦରେ ବହିଯାଉଥିବା ଝରଣାକୁ ଉପଭୋଗ କରିବା ପାଇଁ ଜମିଥାଏ ପର୍ଯଟକଙ୍କ ଭିଡ। ଦେଓଝର ଝରଣାଟି କଟକ ଜିଲ୍ଲା ନରସିଂହପୁର ବ୍ଲକର ଆଠଗଡ ଡିଭିଜନ୍ ତାଳପୁଞି ଗାଁରେ ଅବସ୍ଥିତ । ଆଠଗଡ ନରସିଂହପୁର ମୁଖ୍ୟ ରାସ୍ତାର ଚମ୍ପେଶ୍ୱର ଛକ ନିକଟରୁ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ତିତ ଏହି ପର୍ଯ୍ୟଟନ ସ୍ଥଳୀ । ନିକଟରେ ସେଠାରେ ରହିଛି ଏକ ପାର୍କ । ତେବେ ଏହି ଜଳପ୍ରପାତଟି କଟକ ଠାରୁ ୧୧୨ କିଲୋମିଟର, ଭୁବନେଶ୍ୱରରୁ ୧୩୨ କିଲୋମିଟର, ପୁରୀରୁ ୧୪୦ କିଲୋମିଟର ଆଉ ଅନଗୁଳରୁ ୫୭ କିଲୋମିଟର ଦୂରରେ ଅବସ୍ତିତ। ପୂର୍ବରୁ ଏହା ଦିଅଁଝର ଭାବେ ଜଣାଥିଲା କିନ୍ତୁ ଏବେ ଏହା ଦେଓଝର ଭାବେ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରତିଷ୍ଠା ଲାଭ କରିଛି ।
ଏହି ଜଳପ୍ରପାତର ଉଚ୍ଚତା ୩୦ ଫୁଟ ରହିଥିବା ବେଳେ ଚତୁର୍ଦ୍ଦିଗରେ ଥିବା ଘଞ୍ଚ ଜଙ୍ଗଲ ଆଉ ସୁଉଚ୍ଚ ପାହାଡ ହେଉଛି ଏହାର ବିଶେଷ ମହତ୍ତ୍ୱ । ଜଙ୍ଗଲ ଘେରା ପାହାଡ ମଧ୍ୟରେ ଥିବା ଏହି ଜଳପ୍ରପାତଟି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ମନରେ ଏକ ଶାନ୍ତି ଭରି ଦିଏ | ଏଠାରେ ଥିବା ଝରଣାର ଶିଖର ବଡେଦିଧାର ନାମକ ଏକ ଗୁମ୍ଫା ରହିଛି, ଯାହାକି ଏକଦା ସାଧୁ ସନ୍ଥମାନଙ୍କର ସ୍ଵର୍ଗ ଥିଲା ବୋଲି କୁହାଯାଏ । ଶୀତଦିନ ଆସିବା ମାତ୍ରେ ଏଠାରେ ପିକନିକର ମଜାନେବାକୁ ଛୁଟି ଆସନ୍ତି ଅନେକ ଅନେକ ପର୍ଯ୍ୟଟକ । ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ଜଳପ୍ରପାତଟି ହେଉଛି ସବୁଠାରୁ ସର୍ବୋତ୍ତମ । ଏଠାରେ କାର୍ ପାର୍କିଂ ସହ ଭୋଜି କରିବା ନିମିତ୍ତ ସମସ୍ତ ସରଞ୍ଜାମ ଉପଲବ୍ଧ । ପାର୍କିଂ ନିକଟରେ ମଧ୍ୟ କିଛି ଖାଦ୍ୟ ସାମଗ୍ରୀ ଦୋକାନ ଓ ହୋଟେଲ ରହିଛି ।