ଭୁବନେଶ୍ବର: ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ପ୍ରମୁଖ ସଚିବ ପଦବୀରେ ଥିବା ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ଓଏଏସ୍ଡି ଭାବେ ନିଯୁକ୍ତି ମିଳିଛି। ୧୯୯୫ ବ୍ୟାଚ୍ର ଆଇଏଏସ୍ ଶ୍ରୀ ସେଠୀଙ୍କୁ ବଦଳି ହୋଇଥିଲେ ମଧ୍ୟ ପ୍ରମୁଖ ସଚିବ ପାହ୍ୟା ବଜାୟ ରହିବ। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି।
ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି, ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜିବ କୁମାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଶ୍ରୀ ମିଶ୍ରଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ସେ ଅତିରିକ୍ତ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଳାଇବେ ବୋଲି ଜାଣିବାକୁ ମିଳିଛି।
ଟେଣ୍ଡର ଫିକ୍ସିଂ ଓ ଲାଞ୍ଚ କାରବାର ମାମଲାରେ ସିବିଆଇ ତନାଘନା ଜାରି ରଖିଛି। ବ୍ରିଜ୍ ଆଣ୍ଡ ଆର କର୍ପୋରେସନର କର୍ମଚାରୀଙ୍କୁ ଡାକି ଜେରା ମଧ୍ୟ ଚାଲିଛି। ଏହି ଘଟଣାରେ ସମ୍ପୃକ୍ତ ଆଇଏଏସ ମାନଙ୍କର ତାଲିକା ମଧ୍ୟ ପ୍ରସ୍ତୁତ ହେଉଛି। ଅନ୍ୟପଟେ ବିଷ୍ଣୁପଦଙ୍କ ହାଜର ନହେଲେ ତାଙ୍କ ବିରୋଧରେ ସିବିଆଇ କଠୋର ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଲାଞ୍ଚ କାରବାର ମାମଲାରେ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନର ଜେନେରାଲ ମ୍ୟାନେଜର ବି. କେ ସିଂହ ସିବିଆଇ ସ୍କାନରକୁ ଆସିଛନ୍ତି। ପୂର୍ବରୁ ଜେରା ହୋଇଥିବା ତିନି ମୁଖ୍ୟ ଅଭିଯୁକ୍ତଙ୍କଠାରୁ ମିଳିଥିବା ତଥ୍ୟ ଓ ବିଷ୍ଣୁପଦ ସେଠୀଙ୍କୁ ସେ ଲେଖିଥିବା ଚିଠିକୁ ଆଧାର କରି ତାଙ୍କୁ ସିବିଆଇର ଦିଲ୍ଲୀ ଟିମ୍ ଜେରା କରିଛନ୍ତି ।
Comments are closed.