Latest Odisha News

BREAKING NEWS

ଉମର ଖାଲିଦଙ୍କୁ ମିଳିଲା ୭ ଦିନର ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ଉମର ଖାଲିଦଙ୍କୁ ମିଳିଛି ଜାମିନ। ଦୀର୍ଘ ୪ ବର୍ଷ ହେଲା ଜେଲରେ ଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ଜାମିନ ମିଳିଛି। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୭ ଦିନ ପାଇଁ ଜାମିନ ପ୍ରଦାନ କରିଛନ୍ତି। ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ଘଟଣା ପରେ ଖାଲିଦଙ୍କୁ ଗିରଫ କରାଯାଇଥିଲା। ତେବେ ଏକ ବିବାହ ଉତ୍ସବ ପାଇଁ ତାଙ୍କୁ ୭ ଦିନର ଜାମିନ ଦିଆଯାଇଛି। ଆସନ୍ତା ଡିସେମ୍ବର ୨୮ରୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଜାମିନ ଦେଇଛନ୍ତି କୋର୍ଟ।

ସୂଚନା ଅନୁଯାୟୀ, ଏକ ବାହାଘରରେ ସାମିଲ ହେବାକୁ ଖାଲିଦ ୧୦ ଦିନର ଜାମିନ ଆବେଦନ କରିଥିଲେ। ଏହାପରେ କୋର୍ଟ ସର୍ତ୍ତମୂଳକ ଭାବରେ ତାଙ୍କୁ ୭ ଦିନର ଜାମିନ ଦେଇଛନ୍ତି।

ଆଭ୍ୟନ୍ତରୀଣ ଜାମିନ ଆବେଦନରେ ଖାଲିଦ କହିଥିଲେ, ଜାନୁଆରୀ ୧ରେ ଅବଦୁଲ ଫଜଲ ଏନକ୍ଲେଭର ମସଜିଦ ଇଶାତ ଇସଲାମରେ ତାଙ୍କ ସମ୍ପର୍କୀୟଙ୍କ ବାହାଘର ହେବ। ଏହା ପରେ କାଲିନ୍ଦି କୁଞ୍ଜରେ ଡିନର ପାର୍ଟି ରହିଛି। ବାହାଘର ପୂର୍ବରୁ ହଳଦୀ ଓ ମେହେନ୍ଦି କାର୍ଯ୍ୟକ୍ରମ ଯଥାକ୍ରମେ ଡିସେମ୍ବର ୩୦ ଓ ୩୧ରେ ହେବ। ଆମେରିକାରୁ ଆସିଥିବା ତାଙ୍କ ଭଉଣୀଙ୍କୁ ମଧ୍ୟ ସେ ଦେଖା କରିବେ ବୋଲି କହିଥିଲେ। ତେବେ ନାଗପୁରରେ ହେବାକୁ ଥିବା ବିବାହ ଭୋଜିରେ ସେ ସାମିଲ ହେବେନାହିଁ  କହି, ୧୦ ଦିନର ଜାମିନ ଆବେଦନ କରିଥିଲେ।

ଏହି ଅବେଦନରେ ଶାହଦାରା କୋର୍ଟର ଅତିରିକ୍ତ ସେସନ୍ ଜଜ ସମୀର ବାଜପାଇ ଶୁଣାଣି କରି ଖାଲିଦଙ୍କୁ ୭ ଦିନ ପାଇଁ ଜାମିନ ଦେଇଛନ୍ତି। ତେବେ ଡିସେମ୍ବର ୨୮ ସକାଳୁ ଜାନୁଆରୀ ୩ ସନ୍ଧ୍ୟା ଯାଏ ଖାଲିଦ ଜେଲ ବାହାରେ ରହିପାରିବେ। ଏଥିପାଇଁ ସେ ବ୍ୟକ୍ତିଗତ ୨୦ ହଜାର ଟଙ୍କାର ବଣ୍ଡ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ଜାମିନ ପ୍ରଦାନ କରିବା ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଏହି ସର୍ତ୍ତ ଅନୁସାରେ ଜାମିନରେ ଥିବା ବେଳେ ଖାଲିଦ କେବଳ ନିଜ ପରିବାର, ସମ୍ପର୍କୀୟ ଓ ବନ୍ଧୁମାନଙ୍କୁ ଭେଟି ପାରିବେ। ସେ ସବୁବେଳେ ଘର ଭିତରେ କିମ୍ବା ବାହାଘର ହେଉଥିବା ମଣ୍ଡପରେ ରହିବେ। ଜାମିନ ଅବଧି ମଧ୍ୟରେ ସେ ସୋଶାଲ ମିଡିଆର ବ୍ୟବହାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ମସିହାରେ ଉତ୍ତର ଦିଲ୍ଲୀରେ ହୋଇଥିବା ଭୟଙ୍କର ଦଙ୍ଗା ଘଟଣାରେ ପୋଲିସ୍‌ ଖାଲିଦଙ୍କୁ ଗିରଫ କରିଥିଲା। ହୋଇଥିବା ଦଙ୍ଗାର ମୁଖ୍ୟ ଷଡ଼ଯନ୍ତ୍ରକାରୀ  ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ଏହି ଦଙ୍ଗାରେ ୫୩ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

 

Leave A Reply

Your email address will not be published.