ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ କର୍ମଚାରୀମାନେ ହାଇ-ଭୋଲଟେଜ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରିବା ଘଟଣାକୁ ନେଇ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଧାନସଭା ଗୃହରେ ବିବୃତି ରଖିଛନ୍ତି। ସେ କହିଛନ୍ତି କି, ଠିକା କର୍ମଚାରୀ ନିକଟ ଭବିଷ୍ୟତରେ ସରକାରଙ୍କ ସହ ଆଲୋଚନା କରିନାହାନ୍ତି। ଆନ୍ଦୋଳନରେ ବସିଥିବା ଠିକା କର୍ମଚାରୀଙ୍କ ଦାବି ଯଥାର୍ଥ ନୁହେଁ। ବିଦ୍ୟୁତ୍ ସରବରାହକୁ ବନ୍ଦ କରିବାକୁ ଯେଉଁମାନେ ଚେଷ୍ଟା କଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଣେ ବି ଲୋକଙ୍କୁ ଚାକିରିରୁ ବହିଷ୍କାର କରାଯାଇନାହିଁ ବୋଲି ସେ କହିଛନ୍ତି ।
ଦାବି ପୂରଣ ପାଇଁ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ଜୀବନକୁ ବିପଦରେ ନ ପକାଇବାକୁ ଉପମୁଖ୍ୟମନ୍ତ୍ରୀ କର୍ମଚାରୀମାନଙ୍କୁ ଅନୁରୋଧ କରିବା ସହ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାବନୀ ଦେଇଛନ୍ତି। ସରକାର କର୍ମଚାରୀଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଅଛନ୍ତି ଏବଂ ଆଇନକୁ ହାତକୁ ନ ନେଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଟାଟା ପାୱାର (Tata Power) ଅଧୀନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଛଟେଇ ଓ ଅନ୍ୟାନ୍ୟ ଦାବି ସମ୍ପର୍କରେ ସରକାର ଅବଗତ ଅଛନ୍ତି ଏବଂ ଏ ନେଇ ବିଭାଗୀୟ ସ୍ତରରେ ତର୍ଜମା ଚାଲିଛି ବୋଲି ସେ କହିଛନ୍ତି।
ସୂଚନା ଥାଉକି ଓଡ଼ିଶା ବିଦ୍ୟୁତ୍ ଠିକା କର୍ମଚାରୀ ମିଳିତ ମଞ୍ଚ ନେତୃତ୍ୱରେ ଗତ ୫୫ ଦିନରୁ ଅଧିକ ସମୟ ଧରି ଭୁବନେଶ୍ୱରର ଗାନ୍ଧୀ ମାର୍ଗ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଚାଲିଛି। ଆନ୍ଦୋଳନକାରୀଙ୍କ ଦାବି ପୂରଣରେ ବିଳମ୍ବ ହେବାରୁ ଭୁବନେଶ୍ୱରର ଆଚାର୍ଯ୍ୟ ବିହାର, ସତ୍ୟ ବିହାର, ପିପିଲି ଏବଂ ଜଟଣୀ ଆଦି ସ୍ଥାନରେ ଛଟେଇ କର୍ମଚାରୀମାନେ ୩୩ କେଭି ଓ ୧୩୨ କେଭି ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ ଜଣାଇଥିଲେ। ଠିକା ସଂସ୍ଥା ପରିବର୍ତ୍ତନ ନାମରେ ଛଟେଇ ହୋଇଥିବା କର୍ମଚାରୀଙ୍କ ତୁରନ୍ତ ପୁନଃନିଯୁକ୍ତି, ଚାକିରିର ସ୍ଥାୟୀତ୍ୱ ଓ ସୁରକ୍ଷା, ସର୍ବନିମ୍ନ ମଜୁରୀ ପ୍ରଦାନ ଏବଂ କର୍ମଚାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଉଛି।
