Latest Odisha News

BREAKING NEWS

୧୪ ବର୍ଷ ପରେ ଭାରତକୁ ଫେରିବ ଥମାସ ଓ ଉବେର ବ୍ୟାଡମିଣ୍ଟନ

ନୂଆଦିଲ୍ଲୀ: ୨୦୨୬ ଅଗଷ୍ଟରେ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌ର ସଫଳ ଆୟୋଜନ ପରେ ଭାରତ ଏବେ ୨୦୨୮ ଥମାସ ଓ ଉବେର କପ ଆୟୋଜନର ଅଧିକାର ହାସଲ କରିଛି । ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେସନ ଅନୁଯାୟୀ, ପୁରୁଷ ବର୍ଗର ଥମାସ କପ୍ ଏବଂ ମହିଳା ବର୍ଗର ଉବେର କପ୍ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଭାରତ ୨୦୧୪ରେ ନୂଆଦିଲ୍ଲୀର ସିରି ଫୋର୍ଟ ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଏହି ଦୁଇ ପ୍ରତିଷ୍ଠିତ ଦଳଗତ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା । ଭାରତୀୟ ବ୍ୟାଡମିଣ୍ଟନ ସଂଘ ପକ୍ଷରୁ କୁହାଯାଇଛି ଯେ, ତିନି ବର୍ଷ ମଧ୍ୟରେ ବ୍ୟାଡମିଣ୍ଟନର ତିନୋଟି ବଡ଼ ଅନ୍ତର୍ଜାତୀୟ ଚାମ୍ପିଅନସିପ୍ ଆୟୋଜନର ସୁଯୋଗ ପାଇବା ଆମ ପ୍ରତି ଥିବା ବିଶ୍ୱାସକୁ ଦର୍ଶାଉଛି । ଚଳିତ ବର୍ଷ ଥମସ କପ୍ ବ୍ରୋଞ୍ଜ ପଦକ ସମେତ ବିଭିନ୍ନ ବର୍ଗରେ ଭାରତୀୟ ଖେଳାଳିଙ୍କ ଭଲ ପ୍ରଦର୍ଶନ ପରେ ୧୪ ବର୍ଷ ପରେ ଏହି ଫାଇନାଲ୍ସ ଭାରତ ଫେରୁଛି, ଯାହା ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳାଳିଙ୍କ ପାଇଁ ଏକ ବଡ଼ ସୁଯୋଗ ।

ଆଗାମୀ ବଡ଼ ଟୁର୍ଣ୍ଣାମେଣ୍ଟଗୁଡ଼ିକ ମଧ୍ୟରେ ୨୦୨୭ ବିଶ୍ୱ ଚାମ୍ପିଅନସିପ୍ କାନାଡାରେ, ୨୦୨୯ ସୁଦିରମାନ କପ୍ କୋରିଆରେ ଏବଂ ୨୦୩୦ ଥମସ ଓ ଉବର କପ୍ ଫ୍ରାନ୍ସରେ ଅନୁଷ୍ଠିତ ହେବ । ଆସନ୍ତା ବର୍ଷଠାରୁ ପ୍ରତି ଗେମ୍‌ରେ ୧୫ ପଏଣ୍ଟ ସ୍କୋରିଂ ବ୍ୟବସ୍ଥା ଲାଗୁ ହେବା ସହ ପ୍ରମୁଖ ଟୁର୍ଣ୍ଣାମେଣ୍ଟଗୁଡ଼ିକର ଢାଞ୍ଚାରେ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ସୁଦିରମାନ କପ୍ ଏବଂ ଥମସ ଓ ଉବର କପ୍‌ରେ ୨୪ଟି ଲେଖାଏଁ ଦଳ ଭାଗ ନେବେ । ୨୦୨୮ ସଂସ୍କରଣରେ ଟାଇଗୁଡ଼ିକ ପାରମ୍ପରିକ ବେଷ୍ଟ-ଅଫ୍-ଫାଇଭ୍ ପରିବର୍ତ୍ତେ ବେଷ୍ଟ-ଅଫ୍-ଥ୍ରୀ ମ୍ୟାଚ୍ ଫର୍ମାଟରେ ଖେଳାଯିବ । ବିଶ୍ୱ ଚାମ୍ପିଅନସିପ୍‌ରେ ମଧ୍ୟ ଅଲିମ୍ପିକ୍ସ ଭଳି ଗ୍ରୁପ୍ ପର‌୍ୟ୍ୟାୟ ପରେ ନକ୍ଆଉଟ୍ ପର‌୍ୟ୍ୟାୟ ବ୍ୟବସ୍ଥା ଲାଗୁ ହେବ । ସିଙ୍ଗଲ୍ସରେ ୪୮ ଜଣ ଖେଳାଳିଙ୍କୁ ୩ ଜଣ ଲେଖାଏଁ ୧୬ଟି ଗ୍ରୁପ୍‌ରେ ଏବଂ ଡବଲ୍ସରେ ୩୨ଟି ଯୋଡ଼ିଙ୍କୁ ୪ଟି ଲେଖାଏଁ ୮ଟି ଗ୍ରୁପ୍‌ରେ ରଖାଯିବ । ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଖେଳାଳି ବା ଯୋଡ଼ି ରାଉଣ୍ଡ ଅଫ୍ ୧୬କୁ ଯିବେ । ଏହାସହ ପ୍ରତି ବର୍ଗରେ ଗୋଟିଏ ସଂଘରୁ ୩ ବଦଳରେ ସର୍ବାଧିକ ୪ ଜଣ ଖେଳାଳି ବା ଯୋଡ଼ି ଭାଗ ନେଇପାରିବେ ।

Leave A Reply

Your email address will not be published.