Latest Odisha News

BREAKING NEWS

ପୁରୁଷ ଓ ମହିଳା ଏକାଠି ଖେଳିବେ କ୍ରିକେଟ୍; ଜର୍ମାନୀରେ ନୂଆ ଟି-୨୦ ଲିଗ୍ ଲଞ୍ଚ୍ କରିବେ ଜାହିର

ନୂଆଦିଲ୍ଲୀ: ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାଁ କ୍ରିକେଟକୁ ଏକ ନୂଆ ଦିଗ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଜାହିରଙ୍କ ସ୍ପୋର୍ଟସ୍ କମ୍ପାନୀ ଆଙ୍କର ସ୍ପୋର୍ଟସ୍ ଏବି  ଏବଂ ଜର୍ମାନ କ୍ରିକେଟ୍ ଫେଡେରେସନ ମିଳିତ ଭାବେ ଏକ ପ୍ରଫେସନାଲ୍ ପୁରୁଷ-ମହିଳା ମିଶ୍ରିତ ଟି-୨୦ ଲିଗ୍ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି । ଏହି ଲିଗର ପ୍ରଥମ ସିଜିନ ଅଗଷ୍ଟ ୨୦୨୭ରେ ଜର୍ମାନୀରେ ଖେଳାଯିବ, ଯେଉଁଠାରେ ପୁରୁଷ ଓ ମହିଳା କ୍ରିକେଟରମାନେ ଗୋଟିଏ ପ୍ଲେଇଂ ଇଲେଭେନରେ ଏକାଠି ଖେଳିବେ । ଏହି ଲିଗର ପ୍ରଥମ ସିଜିନରେ ୫ଟି ଦଳ ଅଂଶଗ୍ରହଣ କରିବେ ଏବଂ ମୋଟ ୧୨ଟି ଟି-୨୦ ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ଦଳରେ ୧୮ ଜଣ ଲେଖାଏଁ ଖେଳାଳି ରହିବେ । ଏହି ଲିଗର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ପ୍ରତ୍ୟେକ ପ୍ଲେଇଂ ଇଲେଭେନରେ ୬ ଜଣ ମହିଳା ଏବଂ ୫ ଜଣ ପୁରୁଷ ଖେଳାଳି ରହିବେ । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା, ସ୍ପଷ୍ଟ ନିୟମ ଏବଂ ସବଷ୍ଟିଚ୍ୟୁସନ୍ ପ୍ରୋଟୋକଲ୍ ମଧ୍ୟ ସ୍ଥିର କରାଯାଇଛି ।

ଆଙ୍କର ସ୍ପୋର୍ଟସ୍‌ର ସହ-ମାଲିକ ଜାହିର ଖାନ (ନାଗେନ୍ଦ୍ର ସିଦ୍ଦୌତମଙ୍କ ସହ) ମତ ଦେଇଛନ୍ତି ଯେ ଏହି ପଦକ୍ଷେପ କ୍ରିକେଟର ପ୍ରସାରକୁ ବଢ଼ାଇବ, ବିଶେଷ କରି ୟୁରୋପ ଭଳି ଉଦୀୟମାନ ବଜାରରେ ଏହାର ବ୍ୟାପକ ସମ୍ଭାବନା ରହିଛି । ଜାହିର କହିଛନ୍ତି ଯେ କ୍ରିକେଟରେ ଲୋକଙ୍କୁ ଏକାଠି ଯୋଡ଼ିବାର ଶକ୍ତି ରହିଛି । ୨୦୨୮ ଅଲିମ୍ପିକ୍ସରେ କ୍ରିକେଟର ପ୍ରତ୍ୟାବର୍ତ୍ତନ ସହିତ ଖେଳକୁ ନୂଆ ସମୁଦାୟ ପାଖରେ ପହଞ୍ଚାଇବା ଏବଂ ବିଶ୍ୱବ୍ୟାପୀ ଏହାର ବିସ୍ତାର କରିବା ପାଇଁ ଏହା ଏକ ବଡ଼ ସୁଯୋଗ ବୋଲି ଜାହିର କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଇକ୍ୱାଲ  କ୍ରିକେଟରେ ପୁରୁଷ ଓ ମହିଳା ଖେଳାଳିଙ୍କୁ ପଡ଼ିଆରେ ଏକାଠି ଆଣି ପରସ୍ପର ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ଦେଉଛି । ଜର୍ମାନ କ୍ରିକେଟ୍ ଫେଡେରେସନର ଅଧ୍ୟକ୍ଷ ସେଭେରିନ ୱାଇବ କହିଛନ୍ତି ଯେ ଏହି ପଦକ୍ଷେପ କ୍ରିକେଟ୍ ସମୁଦାୟକୁ ଏକଜୁଟ କରିବା ସହ ଅଂଶଗ୍ରହଣର ଅଧିକ ସୁଯୋଗ ସୃଷ୍ଟି କରିବ ।

Leave A Reply

Your email address will not be published.