Latest Odisha News

BREAKING NEWS

ନବୀନ ପଟ୍ଟନାୟକଙ୍କ ଉପରେ ଲିଖିତ ସାମ୍ବାଦିକ ରୁବେନଙ୍କ ବହିକୁ ନିନ୍ଦା କଲା ବିଜେଡି!

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ବହି ‘ନବୀନ ପଟ୍ଟନାୟକ’ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ । ବହି ଉନ୍ମୋଚନ ହେବାର ଦୁଇ ଦିନ ପରେ ଅରୁଣ ସାହୁ ବହିଟିକୁ ସମାଲୋଚନା କରି କହିଛନ୍ତି, ଯେଉଁ ସବୁ ତଥ୍ୟ ପ୍ରଦାନ କରାଯାଇଛି ତାର ସତ୍ୟତା ନାହିଁ । ସାଧାରଣ ଲୋକେ ଏହାକୁ ଗ୍ରହଣ କରିବେ ନାହିଁ । ଅନ୍ୟପଟେ ବିଜେପି ବିଧାୟକ ବାବୁ ସିଂହ ଅରୁଣ ସାହୁଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ।

ସଂପୃକ୍ତ ବହିଟି ଲେଖିଲାବେଳେ ମତାମତ ନେଇ ନାହାନ୍ତି ଲେଖକ। ସେ କେବେଠାରୁ ନବୀନଙ୍କୁ ଭେଟି ନାହାନ୍ତି। କିଛି ଏମିତି କହି ରୁବେନ ବାନାର୍ଜିଙ୍କ ବହିରେ ଲେଖା ହୋଇଥିବା କଥାବସ୍ତୁକୁ ଏକପ୍ରକାର ମିଛ ବୋଲି ଆକ୍ଷେପ କରିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ।

ଅରୁଣ କହିଛନ୍ତି, ରୁବେନ ବାନାର୍ଜୀ ବହୁ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି, କଥା ହୋଇ ନାହାନ୍ତି କି ଇଣ୍ଟରଭ୍ୟୁ ବି ନେଇ ନାହାନ୍ତି। ବିରୋଧୀଦଳ ଓ ବିଭିନ୍ନ ସ୍ଥାନରେ ଯାହା ଚର୍ଚ୍ଚା ହେଉଥିଲା ତାକୁ ଭିତ୍ତି କରି ବହି ଲେଖିଛନ୍ତି । କାହା ଉପରେ ଲେଖିବା ବେଳେ ତାଙ୍କ ମତାମତ ନେବା କଥା ଓ ଘଟଣାର ସୋର୍ସ ଲେଖିବା କଥା । ଯେଉଁ ମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରନ୍ତି ସେମାନଙ୍କ ମତାମତ ନେଇ ରୁବେନ ବହି ଲେଖିଛନ୍ତି । ସୌଜନ୍ୟତା ଦୃଷ୍ଟିରୁ ନବୀନଙ୍କ ମତାମତ ନେବାର ଥିଲା। କିନ୍ତୁ ରୁବେନ ବାନାର୍ଜୀ ବିରୋଧୀ ଦଳ ନେତା ଭାବେ ଲେଖିଛନ୍ତି । ଚା ଖଟି, ପାନ ଦୋକାନରେ ଚାଲିଥିବା ଚର୍ଚ୍ଚାକୁ ନିଜ ବହିରେ ଲେଖିଥିବା ଅରୁଣ ଅଭିଯୋଗ କରିଛନ୍ତି । ଓଡ଼ିଶାବାସୀ ଏହିପରି ବହିକୁ ପ୍ରତ୍ୟାଖ୍ୟାନ ଓ ନିନ୍ଦା କରୁଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି । ବିଜେଡି ମଧ୍ୟ ଏହି ବହିକୁ ନିନ୍ଦା କରୁଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରୁଥିବା ସ୍ପଷ୍ଟ କରିବା ସହ ସାକ୍ଷାତକାର ପାଇଁ ଅନୁରୋଧର କୌଣସି ଉତ୍ତର ମିଳିନଥିବା କହିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବିଜେଡି ନେତାଙ୍କ ଜରିଆରେ ତାଙ୍କୁ (ନବୀନ ପଟ୍ଟନାୟକଙ୍କୁ) ଭେଟିବାକୁ ଇଚ୍ଛା ପ୍ରକାଶ କରି ବାର୍ତ୍ତା ପଠାଇଥିଲି। କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ ବୋଲି ମମତା ବାନାର୍ଜୀ କହିଛନ୍ତି।

ମୋ ଜୀବନକାଳ ମଧ୍ୟରେ ମୁଁ ନବୀନ ପଟ୍ଟନାୟକଙ୍କୁ ୩୦୦ ଥର ଭେଟିଛି। ଏମିତି ଏକ ସମୟ ଥିଲା ଯେ ଯଦି ମୁଁ ନବୀନ ନିବାସ ନଯାଇବି ତେବେ ମୋର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ସେପଟେ ବିଜେଡିର ଆକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ବିଧାୟକ ବାବୁ ସିଂ । ଏନେଇ ବାବୁ କହିଛନ୍ତି, ରୁବେନ୍‌ ବାନାର୍ଜୀ ଅପ୍ରିୟ ସତ୍ୟ କଥା ଲେଖିବା ବିଜେଡି ଦେହରେ ଯାଉନି । ପୂର୍ବରୁ ଯେତେବେଳେ ସେ ଲେଖୁଥିଲେ, ସେତେବେଳେ ଭଲ ଥିଲେ । ଆଜି ଅପ୍ରିୟ ସତ ଲେଖିଲେ ବୋଲି ବିଜେଡି ଏମିତି କହୁଛି । ରୁବେନ୍‌ ବାନାର୍ଜୀଙ୍କ ଲେଖା ସେତେବେଳେ ସତ ଥିଲା ଆଉ ଏବେ ବି ସତ । ତେଣୁ ବିଜେଡି ନେତା ତାକୁ ଗ୍ରହଣ କରିବା ଶିଖନ୍ତୁ ବୋଲି କହିଛନ୍ତି ବାବୁ ।

ତେବେ କହିରଖୁଛୁ, ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଜୀବନି ଉପରେ ଆଧାରି ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି, ଯେଉଁଥିରେ ୨୪ ବର୍ଷ ସରକାରର ପତନ ଆଉ ଏଥିରେ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ଭୂମିକା ବିଷୟରେ ଆଲୋକପାତ କରାଯାଇଛି । ଯାହାର ନାମ ‘ନବୀନ ପଟ୍ଟନାୟକ-ଦ ଅଥରିଟେଟିଭ୍‌ ବାୟୋଗ୍ରାଫି ରିଭାଇଜଡ୍‌ ଆଫ୍ଟର୍‌ ୨୦୨୪ ଇଲେକ୍ସନ୍‌ସ’ ରହିଛି । ତେବେ ଏହାକୁ ନେଇ ଏବେ ପ୍ରତିକ୍ରିୟା ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବହିରେ ଲେଖାଥିବା କଥାକୁ ଖଣ୍ଡନ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ।

Leave A Reply

Your email address will not be published.