ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ, ମାନ୍ୟବର ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ୱାଲଟିୟର ଡିଭିଜନ ମଧ୍ୟରେ ଆସୁଥିବା ଓଡିଶାର ସମସ୍ତ ରେଳ ନେଟୱାର୍କ ଇଷ୍ଟକୋଷ୍ଟ ରେଳବାଇ ଅଧିନରେ ରହିବ କିନ୍ତୁ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନାହିଁ । ଏହି ବିଭାଜନ ଫଳରେ ସମସ୍ତ ମୁଖ୍ୟ ରେଳ ନେଟୱାର୍କ ୱାଲଟିୟର ଡିଭିଜନ ରହିଯିବ । ଯାହାକି ଓଡିଶା ପ୍ରତି ଅନେକ କ୍ଷତି ପହଂଚାଇବ ।
ଇଷ୍ଟକୋଷ୍ଟ ରେଲୱେକୁ ସଶକ୍ତ କରିବାରେ ୱାଲଟିୟର ଡିଭିଜନର ଏକ ପ୍ରମୁଖ ଭୂମିକା ଥିଲା । ଡିଜେଲ ଏବଂ ଇଲେକ୍ଟ୍ରି ଉଭୟ ପ୍ରକାର ଇଂଜିନର ସହାୟତା ୱାଲଟିୟର ଡିଭିଜନରୁ ଇଷ୍ଟକୋଷ୍ଟ ରେଳବାଇକୁ ମିଳୁଥିଲା । ଏହା ମଧ୍ୟ ସତ୍ୟ ଯେ ୱାଲଟିୟର ଡିଭିଜନରୁ ଯେଉଁ ପ୍ରଚୁର ରାଜସ୍ୱ ମିଳୁଥିଲା ତାହା ଆଉ ଇଷ୍ଟକୋଷ୍ଟକୁ ମିଳିବ ନାହିଁ । ଏହିପରି ବିଭିନ୍ନ ପ୍ରକାରର କ୍ଷତିକୁ ନୂତନଭାବେ ଗଠିତ ରାୟଗଡା ଡିଭିଜନ କେବେ ହେଲେ ପୂରଣ କରିପାରିବ ନାହିଁ । ତେଣୁ ୱାଲଟିୟର ଡିଭିଜନକୁ ସବୁକ୍ଷେତ୍ରରୁ ସଶକ୍ତ କରିବା ପାଇଁ ଯେଉଁ ପ୍ରକାର ନୀତି ଗ୍ରହଣ କରାଯାଇଛି ଓଡିଶାର ସ୍ୱାର୍ଥକୁ ଆଖିରେ ରଖି ରାୟଗଡା ଡିଭିଜନ ପାଇଁ ମଧ୍ୟ ସେହି ନୀତି ଅବଲମ୍ବନ କରିବା ଆବଶ୍ୟକ ବୋଲି ସେ ଚିଠିରେ ଲେଖିଛନ୍ତି ।
ଆଜି ସୁଦ୍ଧା ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଯଥା ବେଲପାହାଡ, ବ୍ରଜରାଜନଗର, ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳବାଇ ଅଧିନରେ । ସେହିପରି ପ୍ରମୁଖ ରେଳଷ୍ଟେସନ ଯଥା- ଝାରସୁଗୁଡା, ରାଉରକେଲା, ବୋଣ୍ଡମୁଣ୍ଡା, ବଡବିଲ୍, ବାଲେଶ୍ୱର, ବାରିପଦା ଦକ୍ଷିଣ-ପୂର୍ବ ରେଳବାଇ ଅଧିନରେ ଅଛି । ତେଣୁ, ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, କେନ୍ଦୁଝର ଜିଲ୍ଲାର ସମସ୍ତ ରେଳଲାଇନକୁ ଯଥା ଶୀଘ୍ର ପୂର୍ବତଟ ରେଳବାଇ ଅଧିନକୁ ଆଣିବା ଆବଶ୍ୟକ । ଏଥିସହ କେନ୍ଦୁଝର ଜିଲ୍ଲାର ନିମ୍ନୋକ୍ତ ରେଳଲାଇନ ଗୁଡିକୁ ଖଣିଜ ପରିବହନ ପାଇଁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥି ପ୍ରତି ମଧ୍ୟ ଦୃଷ୍ଟିକୋଣ ଆବଶ୍ୟକ । ଯଥା-
୧. ଟାଙ୍ଗିରପାଳ (ଯଖପୁରା-ବାଂଶପାଣି ଲାଇନ) – ଭଦ୍ରକ/କେନ୍ଦୁଆପଦା (କୋଲକାତା-ଚେନ୍ନାଇ ଲାଇନ୍)
୨. ବାଂଶପାଣି- ବଡବିଲ୍
୩. ବୋଲାଣିଖାଦାନ- କିରିବୁରୁ
୪. ନୟାଗଡ- ବରସୁଆଁ
ଓଡିଶା ଭାରତୀୟ ରେଳବାଇକୁ ଯେିତିକି ପରିମାଣରେ ରାଜସ୍ୱ ଦେଉଛି, ସେହି ଅନୁପାତରେ ଓଡିଶାକୁ ତାର ପ୍ରାପ୍ୟ ମିଳିବା ଉଚିତ । ରାୟଗଡା ଡିଭିଜନ ନାମରେ ଏକ ନୂତନ ଡିଭିଜନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ ୱାଲଟିୟର ଡିଭିଜନରୁ ଓଡିଶାର ପୂର୍ବୋକ୍ତ ସୁବିଧାକୁ ଅପସାରଣ କରିବା ଅନୁଚିତ । ଏ ସଂପର୍କରେ ମାନ୍ୟବର ରେଳମନ୍ତ୍ରୀ ବିଚାର କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।