ମହାରାଷ୍ଚ୍ର: କୋଲହାପୁରରେ ଏକ ଡରେଇବା ପରି ଘଟଣା ସାମ୍ନାକୁ ଆସିଛି। ଭାଣିଜୀ ବିବାହର ରିସେପ୍ସନ ଭୋଜିରେ ବିଷ ମିଶେଇ ଦେଇଛିନ୍ତି ମାମୁଁ । ହଠାତ୍ ତାଙ୍କ ଭାଣିଜୀଙ୍କ ବିବାହ ରିସେପ୍ସନରେ ପ୍ରବେଶ କଲେ । ସେ ବିବାହ ରିସେପ୍ସନ୍ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟରେ ବିଷ ମିଶାଇଦେଇଥିଲେ । ମାମୁଁର ନାଁ ମହେଶ ପାଟିଲ । ବୁଧବାର ପୋଲିସ କହିଛି ଯେ, ଅଭିଯୁକ୍ତ ମାମୁଁ ତାଙ୍କ ଭାଣିଜୀଙ୍କ ବିବାହ ବିରୁଦ୍ଧରେ ଥିଲେ ତେଣୁ ସେ ଏହି କାର୍ଯ୍ୟ କରିଛନ୍ତି ।
ତେବେ ଭଲ କଥା ହେଉଛି ସେହି ଖାଦ୍ୟ କେହି ଖାଇ ନଥିଲେ ଏବଂ ଘଟଣା ସାମ୍ନାକୁ ଆସିବା ପରେ ଏହାର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ବର୍ତ୍ତମାନ ଅଭିଯୁକ୍ତ ଫେରାର ଅଛି ।
ଏହି ଘଟଣା ପନହାଲା ତହସିଲ ଅନ୍ତର୍ଗତ ଉଟ୍ରେ ଗ୍ରାମରେ ମଙ୍ଗଳବାର ଦିନ ଘଟିଛି । ପୋଲିସ କହିବା ଅନୁସାରେ, ମାମୁଁ ମହେଶ ପାଟିଲ ଘରେ ତାଙ୍କ ଭାଣିଜୀଙ୍କର ଲାଳନପାଳନ ହୋଇଥିଲା । ହେଲେ ଭାଣିଜୀ ସେହି ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଘର ଲୋକ ଅରାଜି ହେବାରୁ ସେ ପ୍ରେମିକଙ୍କ ସହ ଲୁଚି ପଳାଇଥିଲେ ଓ ତାଙ୍କ ସହ ବିବାହ କରିଥିଲେ। ହେଲେ ଯୁବତୀଙ୍କ ମାମୁ ମହେଶ ପାଟିଲ୍ ପ୍ରତିଶୋଧ ନେବାକୁ ଯାଇ ସେ ଭାଣିଜୀଙ୍କ ବିବାହ ରିସେପ୍ସନରେ ପଶି ଭୋଜିରେ ବିଷ ମିଶାଇ ଦେଇଥିଲେ। ସେଠାକାର ଲୋକେ ତାଙ୍କୁ ଧରିଥିଲେ ହେଲେ ସେ ଫେରାର ହୋଇଯାଇଥିଲେ ।
ଅଧିକାରୀ କହିଛନ୍ତି, ଆମେ ତାଙ୍କ ବିରୋଧରେ ଧାରା ୨୮୬ (ବିଷାକ୍ତ ପଦାର୍ଥ ପ୍ରତି ଅବହେଳା ଆଚରଣ), ଧାରା ୧୨୫ (ଜୀବନ ପ୍ରତି ବିପଦ କିମ୍ବା ଅନ୍ୟର ବ୍ୟକ୍ତିଗତ ସୁରକ୍ଷାକୁ କ୍ଷତି ପହଞ୍ଚାଇଲା ଭଳି କାମ) ଓ ଭାରତ ନ୍ୟାୟ ସଂହିତା ଅଧିନରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛୁ। ପୋଲିସ ଅଭିଯୁକ୍ତକୁ ଖୋଜୁଛି ।