Latest Odisha News

ହମାସକୁ ଟ୍ରମ୍ପଙ୍କ ଡେଡଲାଇନ୍, କହିଲେ ଶୀଘ୍ର ବନ୍ଦୀଙ୍କୁ ମୁକ୍ତ କର

ନୂଆଦିଲ୍ଲୀ : ଘମାଘୋଟ ଯୁଦ୍ଧ ଘନଘଟା ଭିତରେ ମଧ୍ୟପ୍ରାଚ୍ୟରେ ଅଶାନ୍ତି ଲାଗି ରହିଛି । ଏହାରି ମଧ୍ୟ ସୁପର ପାଓ୍ବାର ଆମେରିକାର ଭାବି ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଦେଇଛନ୍ତି କଡ଼ା ଚେତାବନୀ । ହମାସ୍ ଉଦ୍ଦେଶ୍ୟରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଟ୍ରମ୍ପ । କହିଛନ୍ତି, ହମାସ ବନ୍ଧକଙ୍କୁ ଶୀଘ୍ର ଛାଡ଼ିବା ଜରୁରୀ । ନହେଲେ ମଧ୍ୟପ୍ରାଚ୍ୟରେ ହମାସ ପାଇଁ ଖୋଲିଯିବ ନର୍କର ଦ୍ବାର । ହେଲେ ଟ୍ରମ୍ପ ଏହା ଘୋଷଣା କରି ନାହାନ୍ତି, ସେ କେବେ ହମାସ୍ ବିରୋଧରେ ଆକସନ୍ ଆରମ୍ଭ କରିବେ । ଏକ ପ୍ରେସମିଟ ଅବସରରେ ଯେତେବେଳେ ସାମ୍ବାଦିକମାନେ ଆମେରିକୀୟ ବନ୍ଧକଙ୍କ ସମ୍ପର୍କରେ ପ୍ରଶ୍ନ କରିଥିଲେ, ଠିକ୍ ଏହି ସମୟରେ ଏଭଳି ଜବାବ ଦେଇଥିଲେ ଟ୍ରମ୍ପ ।

ଟ୍ରମ୍ପ କହିଛନ୍ତି, ଆଲୋଚନା ଜାରି ରହିବା ଜରୁରୀ । କଥାବାର୍ତ୍ତା ଜରିଆରେ ସମସ୍ୟାର ସମାଧାନ ହେବା ଆବଶ୍ୟକ । ହେଲେ ଏଥିରେ ବାଧା ସୃଷ୍ଟି ହେଲେ, କିମ୍ବା ବନ୍ଧକ ମାନେ ନମୁକୁଳିଲେ ହମାସ ପାଇଁ ନୂଆ ବିପଦ ସୃଷ୍ଟି ହେବ । ଟ୍ରମ୍ପଙ୍କ ଏହି ଚେତାବନୀ ହମାସ ପାଇଁ ଟେନସନ୍ ଆଣି ଦେଇଥିବାବେଳେ ମଧ୍ୟପ୍ରାଚ୍ଯରେ ହଲଚଲ୍ ବଢ଼ାଇ ଦେଇଛି । ୨୦୨୩ ଅକ୍ଟୋବରରେ ୧୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଥିଲା ହମାସ । ଏମାନଙ୍କ ମଧ୍ୟରେ ଅଛନ୍ତି ବହୁ ଆମେରିକା ନାଗରିକ । ଆସନ୍ତା ୨୦ରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ ।

ଏହା ପୂର୍ବରୁ ହମାସ ବନ୍ଧକ ରଖିଥିବା ଆମେରିକୀୟଙ୍କୁ ଛାଡ଼ିବା ପାଇଁ ଟ୍ରମ୍ପ ଚେତାଇ ଦେଇଛନ୍ତି । ଗୋଟିଏ ପଟେ ହମାସ ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଅନ୍ୟପଟେ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟ ହମାସ୍ ପାଇଁ ନୂଆ ଅଡୁଆ ସୃଷ୍ଟି କରିଛି । ଶପଥ ଗ୍ରହଣ ପୂର୍ବରୁ ଆକସନ୍ ମୋଡରେ ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ଉପରେ ରହିଛି ସାରା ବିଶ୍ବର ନଜର । ଆଉ ମଧ୍ୟପ୍ରାଚ୍ୟ ପାଇଁ ଆଗକୁ ଟ୍ରମ୍ପଙ୍କ ଆଭିମୁଖ୍ୟ କଣ ରହିବ, ତାହା ଉପରେ ରହିବ ନଜର ।

Leave A Reply

Your email address will not be published.