ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ତୃତୀୟ ଦିବସ। ଏହି ଅବସରରେ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ୧୮ ତମ ପ୍ରବାସୀ ଭାରତୀୟ ଦିବସରେ ଅଂଶଗ୍ରହଣ କରିଥିବା ପ୍ରତିନିଧି ତଥା ପ୍ରବାସୀଗଣ ଓ ଓଡ଼ିଶୀ ପ୍ରେମୀ ଦର୍ଶକ ବହୁ ସଖ୍ୟାରେ ଉପସ୍ଥିତ ମଧ୍ଯ ରହିଥିଲେ।
ତେବେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା କୋକିଳା ଡ଼୍ୟାନ୍ସ ଓ ମ୍ୟୁଜିକ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା। ଓଡ଼ିଶୀ ନୃତ୍ୟାଭିନୟ ନାରୀ ପରିବେଷଣ ପରେ ପରେ ଓଡ଼ିଶୀ ଏକକ ନୃତ୍ୟ ପର୍ଯ୍ୟାୟରେ ବିନାୟକ ଜେନାଙ୍କ ଦ୍ୱାରା ଅଭିନୟ ଶିବ ପଞ୍ଚକ, ରୂସାଳୀ ଦାସଙ୍କ ଦ୍ୱାରା ଅଭିନୟ ଚମକେ ଚପଳା ପରିବେଷିତ ହୋଇଥିଲା। ଓଡ଼ିଶୀ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ପୂଜା ମାଇତି ଓ ମାନସୀ ସିଂହଙ୍କ ଦ୍ୱାରା ଅଭିନୟ ଗୀତ ଗୋବିନ୍ଦ, ଏକକ ନୃତ୍ୟରେ ପ୍ରଜ୍ଞା ପ୍ରୀୟଦର୍ଶନୀ ସାମଲଙ୍କ ଦ୍ୱାରା ଅୟିଗିରି ନନ୍ଦିନୀ ବନ୍ଦିତ ମେଦିନୀ, ବିଦିଶା ମିଶ୍ରଙ୍କ ଦ୍ୱାରା ଅଭିନୟ ଅଷ୍ଟପଦୀ ପରିବେଷିତ ହୋଇଥିଲା। ଦ୍ୱୈତ ନୃତ୍ୟରେ ସଂପ୍ରତି ପୌଲ ଓ ଦେବସ୍ମିତା କରଙ୍କ ଦ୍ୱାରା ଅଭିନୟ ଶିବସ୍ତୁତି ଏବଂ ଶେଷରେ ଏକକ ନୃତ୍ୟରେ ଇତିଶ୍ରୀ ରାୟଙ୍କ ଦ୍ୱାରା ମଙ୍ଗଳା ଚରଣ କଦାଚିତ୍ କାଳନ୍ଦୀ ତଟ ବିପିନେ ପରିବେଷିତ ହୋଇଥିଲା।
ସେହିପରି ଅପରାହ୍ନ କାର୍ଯ୍ୟକ୍ରମ ରାମଧନୁ କଳାକୁଞ୍ଜର ଶିଳ୍ପୀମାନଙ୍କ ଦ୍ୱାରା ମୋହନା ପଲ୍ଲବୀ ଉପସ୍ଥାପନାରୁ ଆରମ୍ଭ ହୋଇଥିଲା। ପରେ ପରେ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ମନିଷା ଓ ଶାଳିନୀଙ୍କ ଦ୍ୱାରା ମଙ୍ଗଳା ଚରଣ ନମସ୍ତେତୁଭ୍ୟମ୍, ଏକକ ନୃତ୍ୟରେ ପ୍ରୀୟଦର୍ଶନୀ ରାୟଙ୍କ ଦ୍ୱାରା ଅଭିନୟ ଲକ୍ଷ୍ମୀ ମଙ୍ଗଳା ଚରଣ, ଦ୍ୱୈତ ନୃତ୍ୟରେ ଦୀଶା ଦେବ ଦୀପ୍ତି ଓ ମୋନିକା ସାମନ୍ତରାୟଙ୍କ ଦ୍ୱାରା ଅଭିନୟ ସପ୍ତଶିବ ତାଣ୍ଡବ, ଏକକ ନୃତ୍ୟରେ ମୋୟୁରୀ କ୍ରିଷ୍ଣା ସାହୁଙ୍କ ଦ୍ୱାରା ଅଭିନୟ ଶ୍ରୀରାମ ନମାମୀ ଭକ୍ତ ବତ୍ସଳମ୍, ଏକକ ନୃତ୍ୟଶିଳ୍ପୀ ଶରଣ୍ୟା ମୁଖପାଧ୍ୟାୟଙ୍କ ଦ୍ୱାରା ଅଭିନୟ ବର୍ଷା ଅଭିସାର ଏବଂ ଶେଷରେ ନୃତ୍ୟାତ୍ମା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ପୁଷ୍ପାଞ୍ଜଳୀ ପରିବେଷିତ ହୋଇଥିଲା।
ସଂଧ୍ୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବିଶିଷ୍ଟ ନୃତ୍ୟାଙ୍ଗନା, ଲେଖିକା ତଥା ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା ଗୁରୁ ଡକ୍ଟର ଇଲିଆନା ଚିତାରିଷ୍ଟଙ୍କ ଦ୍ୱାରା ଚର୍ଯ୍ୟାପଦ ପ୍ରସ୍ତୁତିରୁ, ଯାହା ରାଗ ବରଦି ଓ ତାଳ ଖେମଟା ଉପରେ ନିବଦ୍ଧ ଥିଲା। ପରେ ପରେ ସମ୍ଭାବୀ ନାୟକ ଓ ସତ୍ୟପ୍ରକାଶ ମଲ୍ଲୀକଙ୍କ ଦ୍ୱାରା ଶ୍ରୀପଲ୍ଲବୀ, ଆକାଂକ୍ଷା ଦାଶଙ୍କ ଦ୍ୱାରା ଏକକ ନୃତ୍ୟ, ସୌମେନ୍ଦ୍ର ବଳବନ୍ତରାୟଙ୍କ ଦ୍ୱାରା ନାଚନ୍ତି ରଙ୍ଗେ ଶ୍ରୀହରୀ, ସୁଦୂର କଲିକତାରୁ ଆସିଥିବା ସଞ୍ଜୟ ସଅ ଓ ଅନିଷା ମଣ୍ଡଳଙ୍କ ଦ୍ୱାରା ବେହାଗ ପଲ୍ଲବୀ, ଉପାସନା ମହାନ୍ତିଙ୍କ ଦ୍ୱାରା ରାଧା, ସୟମିତା ଦାଶଗୁପ୍ତାଙ୍କ ଦ୍ୱାରା ଅଷ୍ଟପଦୀ ସଖୀ ହେ କେଶୀ ମଥନମ୍ ଉଦାରମ୍ ଏବଂ ଶେଷରେ ସ୍ୱପ୍ନାରାଣୀ ସିହ୍ନାଙ୍କ ଦ୍ୱାରା ପ୍ରତିଷ୍ଠିତ ନୃତ୍ୟନିଳୟ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଗ୍ନିସ୍ତୁତି ପରିବେଷିତ ହୋଇଥିଲା । ଶିଳ୍ପୀମାନଙ୍କର ପରିବେଷଣ ଅତ୍ୟନ୍ତ ଉଚ୍ଚକୋଟିର ଏବଂ ମନମୁଗ୍ଧକର ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଆନନ୍ଦ ନେଇଥିଲେ। କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ ।