ନୂଆଦିଲ୍ଲୀ: ବିଜେପିକୁ ଫେରିବା ପରେ ଝାଡ଼ଖଣ୍ଡରେ ବିଜେପି କ୍ଷମତାକୁ ଫେରିବା ନେଇ ହୁଙ୍କାର ଭରିଛନ୍ତି ରଘୁବର ଦାସ । ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ବିଜେପିରେ ସାମିଲ ହେବା ସହ ପୁଣି ସକ୍ରିୟ ରାଜନୀତିକୁ ଫେରିଛନ୍ତି । ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡିଙ୍କୁ ନେଇ ଦଳର ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ଭିତରେ ରଘୁବରଙ୍କୁ ଦଳରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ରଘୁବରଙ୍କୁ ଝାଡ଼ଖଣ୍ଡ ବିଜେପି ପକ୍ଷରୁ ସ୍ବାଗତ କରାଯାଇଥିବା ବେଳେ ଦଳକୁ ଫାଇଟିଂ ଫିଟ୍ କରିବାକୁ ସେ ନାରା ଲଗାଇଛନ୍ତି । ସେପଟେ ରଘୁବର ସକ୍ରିୟ ରାଜନୀତିକୁ ଫେରବା ନେଇ ସମାଲୋଚନା କରିଛନ୍ତି ଜେଏମଏମ ଓ କଂଗ୍ରେସ ।
ଝାଡ଼ଖଣ୍ଡ ଗାଦିକୁ ଫେରିବୁ
ବିଜେପିକୁ ଫେରିବା ପରେ ଝାଡ଼ଖଣ୍ଡରେ ପୁଣି ଦଳ କ୍ଷମତାକୁ ଫେରିବ ବୋଲି ଦମ୍ଭ ଦେଖାଇଛନ୍ତି ରଘୁବର ଦାସ । ଗତ ନିର୍ବାଚନରେ ଆଶାନୁରୂପ ଫଳ ପାଇନି ବିଜେପି । ତେବେ ଏହାକୁ ନେଇ ବ୍ୟସ୍ତ ହେବାର ନାହିଁ । ବିଜେପି ସଂଗ୍ରାମ କରିବ, ପୁଣି କ୍ଷମତାକୁ ଫେରିବ ବୋଲି ରଘୁବର କହିଛନ୍ତି । ଏଥିସହ ବିଜେପି ୬ମାସ ପର୍ଯ୍ୟନ୍ତ ଅପେକ୍ଷା କରିବ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଜେଏମଏମ ନେତୃତ୍ବାଧୀନ ମେଣ୍ଟ ସରକାର ପୂରଣ କରୁଛି କି ନାହିଁ ଦେଖିବ । ସରକାର ପ୍ରତିଶ୍ରୁତି ପୂରଣରେ ବିଫଳ ହେଲେ ଏହାକୁ ଜନମତର ଅପମାନ ବୋଲି କୁହାଯିବ । ଏହା ବିରୋଧରେ ବିଜେପି ସଡକରେ ଆନ୍ଦୋଳନ କରିବ ବୋଲି ରଘୁବର ଦାସ କହିଛନ୍ତି ।
ବାବୁଲାଲ ଆଉଟ୍ ରଘୁବର ଇନ୍ !
ଝାଡ଼ଖଣ୍ଡ ରାଜନୀତିରେ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କର ଭୂମିକା କଣ ରହିବ ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କୁହାଯାଉଛି, ଝାଡ଼ଖଣ୍ଡ ବିଜେପି ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡିଙ୍କ ସ୍ଥାନ ନେଇପାରନ୍ତି ରଘୁବର । ୨୦୧୯ରେ ବିଜେପି ୨୫ଟି ସିଟ୍ ଜିତିଥିବା ବେଳେ ୨୦୨୪ ନିର୍ବାଚନରେ ୨୧କୁ ଖସିଥିଲା ସିଟ୍ ସଂଖ୍ୟା । ଦଳର ପ୍ରଦର୍ଶନକୁ ନେଇ ବାବୁଲାଲ ମାରାଣ୍ଡିଙ୍କ ଉପରେ ଦଳର ଗୋଟିଏ ଗୋଷ୍ଠୀ ଅସନ୍ତୁଷ୍ଟ ରହିଥିବା ଚର୍ଚ୍ଚା ହେଉଛି । ତେଣୁ ରାଜ୍ୟରେ ବିଜେପି ସଭାପତି ବଦଳିପାରନ୍ତି ବୋଲି କୁହାଯାଉଛି । ବିଜେପି ପକ୍ଷରୁ ଯାହା ଦାୟିତ୍ବ ଦିଆଯିବ ତାକୁ ତୁଲାଇବେ ବୋଲି ରଘୁବର କହୁଥିବା ବେଳେ ତାଙ୍କୁ ରାଜ୍ୟ ବିଜେପି ସଭାପତି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ଆଦିବାସୀ କାର୍ଡ ଫେଲ୍, ଏବେ ଓବିସି !
ଗତ ନିର୍ବାଚନରେ ଝାଡ଼ଖଣ୍ଡର ଆଦିବାସୀ ଭୋଟବ୍ୟାଙ୍କ ହାତେଇବାକୁ ଉଦ୍ୟମ କରିଥିଲା ବିଜେପି । ବାବୁଲାଲ ମାରାଣ୍ଡି, ଚମ୍ପାଇ ସୋରେନ୍, ମଧୁ କୋଡାଙ୍କ ପରି ଆଦିବାସୀ ନେତାଙ୍କ ନେତୃତ୍ବରେ ନିର୍ବାଚନ ଲଢିଥିଲା । ମୁସଲିମ ଜନସଂଖ୍ୟା ବୃଦ୍ଧି ଓ ଆଦିବାସୀ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାକୁ ପ୍ରସଙ୍ଗ କରିଥିଲା ଦଳ । ତେବେ ଫେଲ୍ ମାରିଥିଲା ବିଜେପିର ଆଦିବାସୀ କାର୍ଡ । ତେଣୁ ରଘୁବର ଦାସଙ୍କୁ ରାଜ୍ୟ ମୁଖିଆ ପଦରେ ବସାଇ ଓବିସି ଭୋଟବ୍ୟାଙ୍କ ଉପରେ ଫୋକସ୍ କରିପାରେ ଦଳ । ରଘୁବର ଦାସଙ୍କୁ ଛାଡି ଏପର୍ଯ୍ୟନ୍ତ ଝାଡ଼ଖଣ୍ଡର ସମସ୍ତ ମୁଖ୍ୟମନ୍ତ୍ରୀ ଆଦିବାସୀ ସଂପ୍ରଦାୟର ।
ଝାଡ଼ଖଣ୍ଡ ନିର୍ବାଚନ ପୂର୍ବରୁ ହିଁ ରଘୁବର ଦାସ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ସେ ତାଙ୍କ ପାରମ୍ପରିକ ସିଟ୍ ଜାମସେଦପୁର ପୂର୍ବରୁ ନିର୍ବାଚନ ଲଢିପାରନ୍ତି ବୋଲି କୁହାଯାଉଥିଲା । ତେବେ ସେହି ସିଟରୁ ରଘୁବରଙ୍କ ବୋହୂ ପୂର୍ଣ୍ଣିମା ଦାସ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ରଘୁବରଙ୍କ ରିଟର୍ଣ୍ଣକୁ ଜେଏମଏମ ଓ କଂଗ୍ରେସ ସମାଲୋଚନା କରିଛନ୍ତି । ରଘୁବର ଫେରିବା ପରେ ଦଳରେ ଏବେ ୫ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ । ରଘୁବରଙ୍କୁ ନେଇ ବିଜେପିର ବରିଷ୍ଠ ନେତୃତ୍ବ ଅସନ୍ତୁଷ୍ଟ ରହିଛନ୍ତି । ଓଡିଶାର ରାଜ୍ୟପାଳ ଥିବା ବେଳେ ବି ସେ ବିଜେପି କର୍ମକର୍ତ୍ତା ଭାବେ କାମ କରୁଥିଲେ ବୋଲି ଜେଏମଏମ ମୁଖପାତ୍ର ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି । ସେପଟେ ୨୦୧୪ରେ ରଘୁବରଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ କରି ବଡ଼ ପରୀକ୍ଷଣ କରିଥିଲା ବିଜେପି। ତେବେ ଏହା ଫେଲ୍ ମାରିଥିଲା । ଝାଡ଼ଖଣ୍ଡ ବିଜେପିରେ ଲୋକଙ୍କ ଦ୍ବାରା ଗ୍ରହଣୀୟ ନେତାଙ୍କ ଅଭାବ ରହିଥିବା କଂଗ୍ରେସ ନେତା ବନ୍ଧୁ ତିର୍କୀ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ