ଭୁବନେଶ୍ୱର: ମହାକୁମ୍ଭ ମେଳା ପାଇଁ ସିଧା ଓଡ଼ିଶାରୁ ପ୍ରୟାଗରାଜ ଗଡିଲା ସ୍ୱତନ୍ତ୍ର ବସ୍। ଭିସି ମାଧ୍ୟମରେ ସ୍ଵତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତାକାଲିଠୁ ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେବାକୁ ଯାଉଥିବା ବେଳେ ଏଥିପାଇଁ
ଆଜିଠୁ ସିଧା ଓଡିଶାରୁ ପ୍ରୟାଗରାଜ ବସ ସେବା ଯୋଗାଇ ଦେିଛନ୍ତି ରାଜ୍ୟ ସରକାର । କୁମ୍ଭ ମେଳା ଦେଖି ଯିବାକୁ ସ୍ଵତନ୍ତ୍ର ବସ୍ ସେବାଗୁଡିକ ରାଜ୍ୟର ୪ ସହରରୁ ପ୍ରୟାଗରାଜକୁ ଗଡିଛି । ପ୍ରଥମ ପର୍ଯ୍ୟାୟରେ ଆଜି ୮ଟି ବସ୍ ଉତ୍ତରପ୍ରଦେଶ ଅଭିମୁଖେ ବାହାରିଛି । ଆଗକୁ ଆହୁରି ଚାହିଦା ଦେଖି ଏହି ସେବା ବ୍ୟବସ୍ଥାକୁ ବୃଦ୍ଧି କରାଯିବା ନେଇ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ବସ୍ ପୁରୀ, ଭବାନୀପାଟଣା, ସମ୍ବଲପୁର ଏବଂ ବ୍ରହ୍ମପୁରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ପ୍ରତ୍ୟେକ ମାର୍ଗ ପାଇଁ ଗୋଟିଏ ଲେଖାଏଁ ବସ୍ ରହିଛି। ବସ୍ ଟିକେଟରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି । ଯାହା ସିଧା ଓଡ଼ିଶାରୁ ମହାକୁମ୍ଭ ମେଳା ଏବଂ ଅଯୋଧ୍ୟା ଯୋଗେ ମଧ୍ୟ ସଂଯୋଗ କରିବ । ଯାହା ଆଜିଠୁ ଆରମ୍ଭ ହୋଇ ଆସନ୍ତା ୨୬ ଫେବୃଆରୀ ଯାଏ ବସ୍ ସେବା ଚାଲୁ ରହିବ।
ତେବେ ଯାତ୍ରୀଙ୍କ ସୁବିଧା ଦେଖି ଏହି ସ୍ୱତନ୍ତ୍ର ବସରେ ସ୍ଵତନ୍ତ୍ର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥିତ କରାଯାଇଛି। ଏହି ସ୍ଵତନ୍ତ୍ର ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା, ଲାଇଭ୍ ଯାନ ଟ୍ରାକିଂ, ପ୍ୟାନିକ ବଟନ, ଏବଂ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା ରହିଛି । ଏଥିସହିତ ଯାତ୍ରୀଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା ମଧ୍ୟ ରହିବ ।
ଓଏସଆରସିଟି ଦ୍ବାରା ପରିଚାଳିତ ଏହି ପ୍ରିମିୟମ ବସ ସେବା ଯାତ୍ରୀଙ୍କୁ ସୁଗମ ଯାତ୍ରାର ଅନୁଭୂତି ଦେବ । ଆସନ୍ତା ଜାନୁଆରୀ ୧୩ ସୁଦ୍ଧା ଓଡ଼ିଶାରୁ ନେଇ ଆହ୍ଲାବାଦ ଠାରେ ଅନୁଷ୍ଠିତ ହୋଇଥିବା ମହାକୁଂଭ ମେଳାରେ ଯାତ୍ରୀଙ୍କୁ ପହଞ୍ଚାଇବ। ଏଥିପାଇଁ ଇଚ୍ଛୁକ ଥିବା ଯାତ୍ରୀମାନେ ଓଏସଆରସିଟି ୱେବସାଇଟ କିମ୍ବା ମୋବାଇଲ ଆପ ଦ୍ଵାରା ନିଜର ବୁକିଙ୍ଗ କରିପାରିବେ। ଆଉ ନିଜର ବସ ବିଷୟରେ ସମସ୍ତ ତଥ୍ୟ ଜଣାଇବା ପାଇଁ ରାଜ୍ୟସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଟୋଲଫ୍ରୀ ନମ୍ୱର 1800-345-1122 କିମ୍ବା ହ୍ୱାଟସଆପ୍ ନମ୍ୱର୍ 78490052205ରେ ଯୋଗାଯୋଗ କରିପାରିବେ। ଏହାଦ୍ବାରା ସମସ୍ତ ତୀର୍ଥଯାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ମତ ରଖିଛନ୍ତି କର୍ତ୍ତୃପକ୍ଷ।