ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ବିଦାୟକାଳୀନ ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର: ଓଡ଼ିଶାର ରାଜ୍ୟପାଳ ବଦଳିବା ପରେ ଓଡ଼ିଶା ବିଧାନସଭାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଦାୟୀ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିବା ସହ ନିଜର ବିଦାୟକାଳୀନ ଶୁଭେଚ୍ଛା ଜଣାଇଛନ୍ତି।
ସୂଚନା ଥାଉକି ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି।
ରାଜ୍ୟପାଳ ହରିବାବୁ କମ୍ଭମପାଟି ପ୍ରାୟ ୧ ବର୍ଷ ୯ ମାସ ଧରି ଓଡ଼ିଶାର ରାଜ୍ୟପାଳ ଭାବେ ସଫଳତାର ସହ କାର୍ଯ୍ୟ କରିବା ପରେ ଏବେ ଓଡ଼ିଶାରୁ ବିଦାୟ ନେଉଛନ୍ତି। ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଜ୍ୟପାଳଙ୍କ କାର୍ଯ୍ୟକାଳ ସମୟରେ ଓଡ଼ିଶାର ପ୍ରଗତି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ତାଙ୍କର ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଇବା ସହ ତାଙ୍କର ଆଗାମୀ ନିରାମୟ ଓ ସୁସ୍ଥ ଜୀବନ କାମନା କରିଛନ୍ତି।
ବର୍ତ୍ତମାନର ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି। ବ୍ରଜମୋହନ ଝାଡ଼ଖଣ୍ଡର ପଲାମୁ ଅଞ୍ଚଳର ଜଣେ ରାଜନେତା। ଅତୀତରେ ସେ ବିଧାୟକ ରହିବା ସହ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ବ୍ରଜମୋହନ ରାମ ୧୯୯୬, ୧୯୯୮ ଓ ୧୯୯୯ରେ ପଲାମୁ ଲୋକସଭା ଆସନରୁ କ୍ରମାଗତ ଭାବେ ସାଂସଦ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ।
ରାଜ୍ୟପାଳ ନିଯୁକ୍ତି ଓ ବଦଳି ପ୍ରକ୍ରିୟାରେ ଓଡ଼ିଶା ସହ କେରଳ, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ସିକିମକୁ ସାମିଲ କରାଯାଇଛି। କେରଳରେ ଓମ୍ପ୍ରକାଶ ମାଥୁର, ତାମିଲନାଡୁରେ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କର୍ନାଟକରେ ଡାକ୍ତର ସୁଧା ଯାଦବ, ଉତ୍ତରାଖଣ୍ଡରେ ଧଳସିଂହ ବିଶେନ ଏବଂ ସିକିମରେ ଦୁଶ୍ୟନ୍ତ ଗୌତମଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।

