ନୂଆଦିଲ୍ଲୀ: ୨୦୧୬ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଭାରତର ଯୁବ ବ୍ୟାଟ୍ସମ୍ୟାନ କରୁଣ ନାୟାର ତ୍ରିଶତକ ମାରି ଚର୍ଚ୍ଚାରେ ଥିଲେ । ଏହା ପରେ ସେ ୩ଟି ଟେଷ୍ଟରେ ୫୪ ରନ କରିବା ଯୋଗୁ ଦଳରୁ ବାଦ ପଡିଥିଲେ । ସେବେଠାରୁ ସେ ଆଉ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ କରୁଣ ନାୟାର ପୂନର୍ବାର ଜବରଦସ୍ତ ପ୍ରଦର୍ଶନ କରି ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ୬ଟି ଇନିଂସରେ ୫ ଶତକ ମାରି ସାରିଛନ୍ତି । ଶତକ ମାରିବା ସହ ସେ ଅପରାଜିତ ମଧ୍ୟ ରହିଛନ୍ତି । କରୁଣଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବିଦର୍ଭ ଟିମ ସେମିଫାଇନାଲରେ ପ୍ରବେଶ କରିଛି । ଜାନୁୟାରୀ ୧୬ରେ ଦଳ ମହାରାଷ୍ଟ୍ରକୁ ଭେଟିବ ।
କରୁଣ ଜମ୍ମୁ ଏବଂ କଶ୍ମୀର, ଛତିଶଗଡ, ଚଣ୍ଡୀଗଡ, ତାମିଲନାଡୁ, ଉତର ପ୍ରଦେଶ ଓ ରାଜସ୍ଥାନ ବିପକ୍ଷରେ ଶତକ ହାସଲ କରିଛନ୍ତି । ଜାତୀୟ ଦଳରୁ ବାଦ ପଡିବା ପରେ ସେ ଏକପ୍ରକାର ଭାଙ୍ଗି ଯାଇଥିଲେ । ଏହା ପରେ ସେ ମନୋବଳ ଦୃଢ଼ ରଖି ଅଭ୍ୟାସ କରିଥିଲେ । ଏବେ ସେ ୭ ବର୍ଷ ପରେ ପୂନର୍ବାର ଚୟନ କମିଟି ଦ୍ୱାର ବାଡେଇବାରେ ଲାଗିଛନ୍ତି ।