ନୂଆଦିଲ୍ଲୀ: ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ନିଆଯିବ ଆକ୍ସନ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଟଙ୍କା ବାଣ୍ଟିବା ମାମଲାରେ ତାଙ୍କ ବିରୋଧରେ ଆକ୍ସନ ନେବାକୁ କହିଛି ଇସିଆଇ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ ଆୟୋଗଙ୍କୁ ଅପିଲ କରିଥିଲା ଆମ ଆଦମୀ ପାର୍ଟି(ଆପ)। ବିଜେପି ନେତା ପରବେଶ ବର୍ମା ନୂଆଦିଲ୍ଲୀ ସିଟରୁ ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି। ଅରବିନ୍ଦ କେଜ୍ରିୱାଲ ଏହି ଆସନରୁ ୨୦୧୩ ମସିହାରୁ ଲଗାତର ଜିତିଥିବା ବେଳେ ଏବେ ଚତୁର୍ଥ ଥର ପାଇଁ ପ୍ରାର୍ଥୀ ହୋଇଛନ୍ତି।
ସୂଚନା ଅନୁଯାୟୀ, ନୂଆଦିଲ୍ଲୀରେ କିଛି ମହିଳାଙ୍କୁ ପରବେଶ ବର୍ମା ୧୧୦୦ ଟଙ୍କା ବାଣ୍ଟିଥିବା କେଜ୍ରିୱାଲ କହିଥିଲେ। ଏହି ପ୍ରସଙ୍ଗରେ ଆପ ଇଡିରେ ମଧ୍ୟ ଅଭିଯୋଗ କରିଥିଲା। ପରବେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଥିଲା।
ଅନ୍ୟପକ୍ଷରେ ପରବେଶ ବର୍ମା କହିଛନ୍ତି, ଏହି ଟଙ୍କା ତାଙ୍କ ବାପା ସାହିବ ସିଂହ ବର୍ମାଙ୍କ ସାମାଜିକ ସଂଗଠନ ରାଷ୍ଟ୍ରୀୟ ସ୍ବାଭିମାନ ଦ୍ବାରା ମହିଳାଙ୍କୁ ଦିଆଯାଇଥିଲା। ସେ ଅଭାବୀ ମହିଳାଙ୍କ ସହାୟତା କରିବେ ବୋଲି କହିଛନ୍ତି।
ସେହିପରି କଂଗ୍ରେସ ନୂଆଦିଲ୍ଲୀ ଆସନରୁ ସିଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କରିଛି। ୭୦ ସିଟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ଫେବ୍ରୁଆରୀରେ ହେବ।