Latest Odisha News

ନାମାଙ୍କନ ଭରିଲେ କେଜ୍ରିଓ୍ବାଲ; କହିଲେ, ‘ଲୋକଙ୍କ ଉପରେ ପୂରା ବିଶ୍ବାସ’

ନୂଆଦିଲ୍ଲୀ: ପାଖେଇ ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ । ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ନୂଆଦିଲ୍ଲୀ ପ୍ରାର୍ଥୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ନିଜର ଦଳୀୟ ନେତାଙ୍କ ସମର୍ଥନରେ ଯାଇ ଇସିଙ୍କୁ ନିଜର ନାମାଙ୍କନ ପତ୍ର ଦେିଛନ୍ତି କେଜ୍ରିଓ୍ବାଲ । ଏନେଇ ନିଜ ଏକ୍ସରେ କେଜ୍ରିଓ୍ବାଲ ଲେଖିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଦିଲ୍ଲୀବାସୀଙ୍କ ଦେଇଥିବା ପ୍ରେମ ଏବଂ ଆଶୀର୍ବାଦ, ମୋତେ ପୂର୍ଣ୍ଣ ସମର୍ପଣ ଏବଂ ସେବା ମନୋଭାବ ସହିତ କାମ କରିବା ପାଇଁ ଶକ୍ତି ଏବଂ ପ୍ରେରଣା ଯୋଗାଇଛି । ମୋର ପୂର୍ଣ୍ଣ ବିଶ୍ୱାସ ରହିଛି, ଏଥର ବି ଦିଲ୍ଲୀ ଜନତା ମଧ୍ୟ କାମର ରାଜନୀତିକୁ ବାଛିବେ ।

ତେବେ ସମ୍ମାନର ଆସନ ନୂଆଦିଲ୍ଲୀ ପାଇଁ କେଜ୍ରିଓ୍ବାଲ ଲଢୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେପି ପରବେଶ ବର୍ମାଙ୍କୁ ଛିଡା କରିଥିବା ବେଳେ ଆଜି ସେ ମଧ୍ୟ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି । ଏଥିସହିତ କଂଗ୍ରେସ ସନ୍ଦୀପ ଦିକ୍ଷିତଙ୍କୁ ନୂଆଦିଲ୍ଲୀ ଆସନରୁ ଟିକେଟ ଦେଇଛି ।

ଦିଲ୍ଲୀର ୭୦ ଆସନ ବିଶିଷ୍ଟ ବିଧାନସଭାର ସବୁଠୁ ହାଇପ୍ରୋଫାଇଲ ଆସନ ହେଉଛି ନୂଆଦିଲ୍ଲୀ । ଯେଉଁଠାରୁ ଲଗାତାର ୨୦୧୩, ୨୦୧୫, ୨୦୨୦ରେ ଜିତି ଶାସନ ଭାର ସମ୍ଭାଳିଛନ୍ତି କେଜ୍ରିଓ୍ବାଲ । ହେଲେ ଏଥର କେଜ୍ରିଓ୍ବାଲଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି । ଗୋଟେ ପଟେ କଂଗ୍ରେସ ଏବଂ ଆପ୍ ଏକାକୀ ଲଢୁଛନ୍ତି, ତ ଅନେକ ପ୍ରତିଶ୍ରୁତି ପୂରଣ ନହେବା ବି କେଜ୍ରିଓ୍ବାଲଙ୍କ ପାଇଁ ପ୍ରତିବନ୍ଧକ ସାଜିଛି । ଯାହାକୁ ବଡ ଅସ୍ତ୍ର କରିଛି ବିଜେପି । ଏଥିସହି କେଜ୍ରିଓ୍ବାଲଙ୍କ ବଡ ଭୋଟ ବ୍ୟାଙ୍କ ବସ୍ତି ଭୋଟରଙ୍କୁ ବି ନିଜ ଆଡକୁ ଆକର୍ଷିତ କରୁଛି ବିଜେପି । ଯାହା କେଜ୍ରିଓ୍ବାଲଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏଥରର ଦିଲ୍ଲୀବାସୀ କାହା ମୁଣ୍ଡରେ ହାତ ରଖିବେ ତାହା ତ ସମୟ ହିଁ କହିବ ।

Leave A Reply

Your email address will not be published.