ନାରାୟଣପୁର: ଛତିଶଗଡ଼ ନାରାୟଣପୁର ଜିଲ୍ଲା ପୋଲିସକୁ ମିଳିଛି ପୁଣି ସଫଳତା। ନାରାୟଣପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କଲେ ୪ ହାର୍ଡକୋର ମାଓବାଦୀ। ବୁଧବାର ଦିନ ଏହି ୪ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ୪୦ରୁ ଅଧିକ ହିଂସାକାଣ୍ଡରେ ଜଡିତ ଥିଲେ। ଏହାସହ ତାଙ୍କ ନାଁରେ ଥିଲା ୩୨ ଲକ୍ଷ ଟଙ୍କାର ପୁରସ୍କାର ରାଶି। ପୋଲିସର ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ଦ୍ଵସି କ୍ୟାଡ଼ରର ୪ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି।
ଅନେକ ମାଓବାଦୀ ହିଂସାକାଣ୍ଡରେ ଏହି ୪ ମାଓବାଦୀଙ୍କ ସମ୍ପୃକ୍ତ ଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ନାରାୟଣପୁର ଏସପି ସୂଚନା ଦେଇଛନ୍ତି ।
ନାରାୟଣପୁର ଏସପି କହିଛନ୍ତି ଯେ ଜିଲ୍ଲା ପୋଲିସ ଦ୍ୱାରା ଆରମ୍ଭ ହୋଇଥିବା ‘ନିଆ ପୋଲିସ ନିଆ ନାର’ (ଆମ ଗାଁ, ଆମ ପୋଲିସ) ଆତ୍ମସମର୍ପଣ ଏବଂ ପୁନର୍ବାସ ଅଭିଯାନ ଦ୍ୱାରା ସେମାନେ ପ୍ରଭାବିତ ହୋଇଛନ୍ତି। ଏହି ଚାରି ଜଣ କ୍ୟାଡରଙ୍କ ମଧ୍ୟରୁ ଗାନ୍ଧୀ ତାଟି ଓରଫ ଆରବ ଓରଫ କମଲେଶ (୩୫) ଏବଂ ମୈନୁ ଓରଫ ହେମଲାଲ କୋରମ (୩୫) ମାଓବାଦୀଙ୍କ ଡିଭିଜନାଲ କମିଟିର ସଦସ୍ୟ ଥିଲେ।
ସୂଚନା ଯୋଗ୍ୟ କିଛି ଦିନ ତଳେ ଛତିଶଗଡ଼ ଏସପିଙ୍କ ନିକଟରେ ୧୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନର ଅନେକ ହିଂସାକାଣ୍ଡରେ ସାମିଲ ଥିଲେ ସେମାନେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଥିଲେ। ଟପ ମାଓ ନେତା ସିସିଏମ ଉଦୟର ଅଙ୍ଗରକ୍ଷୀ ମୁନ୍ନା ଏବଂ ସୁଖରାମ ନାଁରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଆତ୍ମସମର୍ପଣ ପରେ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଏସପି ସୂଚନା ଦେଇଥିଲେ।