Latest Odisha News

ମହାକୁମ୍ଭରେ ଚା ଦେଉଛି ରୋବଟ

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହାପର୍ବ। ଦେଶ ବିଦେଶରୁ ଅନେକ ଶ୍ରଦ୍ଧାଳୁ ଓ ସାଧୁ ସନ୍ଥ ଏହି ଧାର୍ମିକ ଆୟୋଜନରେ ଦେଖିବାକୁ ମିଳୁଥିବା ବେଳେ ସୃଷ୍ଟି ହୋଇଛି ଅଧ୍ୟାତ୍ମ ପରିବେଶ। ଏହାରି ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ମହାକୁମ୍ଭରେ ବ୍ୟବହାର ହେଉଥିବା ଟେକ୍ନୋଲୋଜୀ। ସବୁଦିନ ସାମନାକୁ ଆସୁଛି ଟେକ୍ନୋଲୋଜୀ ବ୍ୟବହାର ହୋଇଥିବା ଅନେକ ଖବର। ମହାକୁମ୍ଭରେ ରୋବଟ ପିଆଉଛି ଚା। ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ମହିନ୍ଦ୍ରା ଗୃପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା।

ଆନନ୍ଦ ମହିନ୍ଦ୍ରା ହାବର୍ଡ ବିଜନେସ  ସ୍କୁଲ ପ୍ରଫେସର ତରୁଣ ଖାନ୍ନାଙ୍କ ବ୍ଲଗ ପୋଷ୍ଟକୁ ନିଜ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ଏକ୍ସରେ ଟ୍ଵିଟ କରିଛନ୍ତି। ତରୁଣ ଖାନ୍ନା ତାଙ୍କ ବ୍ଲଗ ପୋଷ୍ଟରେ ମହାକୁମ୍ଭରେ ଏକ ଚା ପଏଣ୍ଟ ସମ୍ପର୍କରେ ଖୁବ ପ୍ରଶଂସା କରିଛନ୍ତି। ଏହି ଚା ପଏଣ୍ଟରେ ରୋବଟ ଦ୍ବାରା ଚା ଦିଆ ଯାଉଥିବା ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି। ଏହି ଚା ବହୁତ ସ୍ଵାଦିଷ୍ଟ ହୋଇଥିବା ବେଳେ, ମୂଲ୍ୟ ବହୁତ କମ ହୋଇଥିବା ଶ୍ରୀ ଖାନ୍ନା କହିଛନ୍ତି।

ସୂଚନା ଅନୁଯାୟୀ, ମହାକୁମ୍ଭରେ ଏକ ଚା ପଏଣ୍ଟରେ ଚା ତିଆରି କରୁଛି ରୋବର୍ଟ । କେବଳ ତିଆରି କରୁନି, ଗ୍ରାହକଙ୍କୁ ମଧ୍ୟ ପରସୁଛି। ଅନ୍ୟପଟେ ଏହି ଚା ପଏଣ୍ଟ ଓ ଏହାର ସହଯୋଗୀ କର୍ଣ୍ଣାଟକ ମିଲ୍କ ଫେଡେରେଶନ ମହାକୁମ୍ଭରେ ସର୍ବାଧିକ ଚା ବିକ୍ରିକରି ଗିନୀଜ ୱାର୍ଲ୍ଡ ରେକର୍ଡ କରିବାକୁ ଆଶା ରଖିଛନ୍ତି। ସେମାନେ ଏହି ମହାକୁମ୍ଭରେ ୧ କୋଟିରୁ ଅଧିକ କପ ଚା ବିକ୍ରି କରିବାର ଆଶା ରଖିଛନ୍ତି। ଏହି ଚାରେ ନନ୍ଦିନୀ ବ୍ରାଣ୍ଡର କ୍ଷୀର ବ୍ୟବହାର ହେଉଥିବା ଚା ପଏଣ୍ଟ ମାଲିକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମହାକୁମ୍ଭ ମେଳା ହିନ୍ଦୁମାନଙ୍କ ପାଇଁ ସବୁଠୁ ବଡ ଧାର୍ମିକ କ୍ଷେତ୍ର। ଚଳିତ ବର୍ଷ ମହାକୁମ୍ଭରେ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଯୋଗ ଦେବାର ଅନୁମାନ କରାଯାଉଛି।

Comments are closed.