ଅହମ୍ମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ଅହମ୍ମଦାବାଦରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ଭାରତ ୨-୦ରେ ଆଗୁଆ ରହି ସିରିଜ ଜିତିନେଇଛି । ଅନ୍ତିମ ଦିନିକିଆକୁ ଜିତି ଟିମ ଇଣ୍ଡିଆ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି । କଟକରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ରୋହିତ ଶର୍ମା ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଏହା ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଏବେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିଛି । ଅହମ୍ମଦାବାଦରେ କୋହଲି ଫର୍ମକୁ ଫେରିବେ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଶତକ ହାସଲ କରିବା ପରଠାରୁ ସେ ଆଉ ବଡ ଇନିଂସ ଖେଳି ନାହାନ୍ତି ।
ଦିନିକିଆ କ୍ରିକେଟରେ ୧୪୦୦୦ ରନ ପୂର୍ଣ୍ଣ କରିବା ପାଇଁ କୋହଲିଙ୍କ ନିକଟରେ ସୁଯୋଗ ରହିଛି । ଆଉ ୮୯ ରନ ହାସଲ କଲେ ସେ ତୃତୀୟ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିବେ । କୋଚ ଗୌତମ ଗମ୍ଭୀର ଏହି ମ୍ୟାଚ ମାଧ୍ୟମରେ ଚୂଡାନ୍ତ ଏକାଦଶରେ କିଛି ପରୀକ୍ଷଣ କରିପାରନ୍ତି । ରିଷଭ ପନ୍ତଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ ଇଂଲଣ୍ଡ ଶେଷ ମ୍ୟାଚକୁ ଜିତି ସମ୍ମାନ ରକ୍ଷା କରିବା ଉଦ୍ୟମ କରିବ । ୨ଟି ଯାକ ମ୍ୟାଚରେ ଶୋଚନୀୟ ଭାବେ ପରାଜିତ ହୋଇଥିବାରୁ ଦଳ ଚାପରେ ରହିଛି । ଏହାର ଫାଇଦା ଟିମ ଇଣ୍ଡିଆ ଉଠାଇବ ବୋଲି ଆଶା କରାଯାଉଛି ।
Comments are closed.