Latest Odisha News

BREAKING NEWS

ଲିଜ୍ଜତ ପାମ୍ପଡ: ୮୦ ଟଙ୍କାରୁ ୧୬୦୦ କୋଟି ପଛର ସେହି କାହାଣୀ

ଭୁବନେଶ୍ଵର: କଳାଧଳା ଟି.ଭି ଅମଳରେ ପିଲାଦିନେ ଦେଖିଥିବା ଲିଜ୍ଜତ ପାମ୍ପଡ଼ର ବିଜ୍ଞାପନ ନିଶ୍ଚୟ ମନେଥିବ । କୁଡୁମୁଡିଆ ପାମ୍ପଡ଼ ଧରି ଖାଉଥିବା ବଡ଼ ଠେକୁଆ ଓ ସେ ବିଜ୍ଞାପନର ଖୁରମ ଖୁରମ ଜିଙ୍ଗଲସ୍ ଏତେ ଶୀଘ୍ର ଭୁଲିହେବନି । ଆଜି ବି ସେ ଠେକୁଆର ଛବି ଲିଜ୍ଜତ ପାମ୍ପଡ଼ର ପ୍ୟାକେଟ୍ ଉପରେ ବସି ପାମ୍ପଡ଼ ଖାଉଛି । ଏବେ ବଜାରରେ ଅନେକ ପ୍ରକାରର ଭଳିକି ଭଳି ପାମ୍ପଡ଼ । ତଥାପି କିନ୍ତୁ ମାସିକିଆ ସଉଦା ତାଲିକାରେ ଲିଜ୍ଜତର ନାଁ ନିଶ୍ଚୟ ରହୁଛି । ବିବାହ ବ୍ରତ ଆଦି ଭୋଜିରେ ଭାତ ଥାଳି ସାଙ୍ଗରେ ପାମ୍ପଡ଼ ଆଜିକାଲି ଅବିଛେଦ୍ୟ ହେଇସାରିଲାଣି । ପାମ୍ପଡ଼ ଘରେ ଘରେ ପରିଚିତ ହେଇସାରିଲାଣି । ଅନେକ ତ ଯେକୌଣସି ପାମ୍ପଡ଼ ହେଉ ପଛେ ତାକୁ ଲିଜ୍ଜତ ବୋଲି କୁହନ୍ତି ।

ନବେ ଦଶକର କଥା । ଦେଶ ଆର୍ଥିକ ଉଦାରିକରଣ ଆଡ଼କୁ ଅଗ୍ରସର ହେଉଥାଏ । ଲୋକଙ୍କ ଡ୍ରଇଂ ରୁମକୁ ନୂଆଁ ନୂଆଁ ଆସିବାରେ ଲାଗିଥାଏ ଟେଲିଭିଜନ ସେଟ । ଏହା ଜରିଆରେ ଲିଜ୍ଜତ ପାମ୍ପଡ଼ ଘରେ ଘରେ ପହଞ୍ଚାଇଥିଲା ତାହାର ଅଦ୍ୱିତୀୟ ସ୍ୱାଦ । ଲିଜ୍ଜତ ପାମ୍ପଡ଼ର ଜିଙ୍ଗଲକୁ ଟିଭି ପରଦାରୁ ବାରମ୍ବାର ଦେଖିବା ପରେ ଭୋଜନ ସମୟରେ ଏହାର ଆଵଶ୍ୟକତାକୁ ଅନୁଭବ କରିଥିଲେ ଭାରତୀୟ ଖାଉଟି । ଲିଜ୍ଜତ ପାମ୍ପଡ଼ର ଅଭାବରେ ମେଂଟୁନଥିଲା ଭୋକ । ଏଭଳି ଭାବେ ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିଥିବା ଏହି ପାମ୍ପଡ଼ର କାହାଣୀ ସଂଘର୍ଷରେ ଭରା ।

୧୯୫୯ ମସିହା । ମେ ମାସ ର ଏକ ଗ୍ରୀଷ୍ମ ଅପରାହ୍ନ । ବମ୍ବେ(ମୁମ୍ବାଇ)ର ଏକ ଛାତ ଉପରେ ଏକାଠି ହୋଇଥାନ୍ତି ଗୁଜୁରାଟର ୭ ମହିଳା । ଜୀବିକା ପାଇଁ ସଂଘର୍ଷ କରୁଥିବା ଏହି ମହିଳା ମାନଙ୍କ ମଧ୍ୟରେ ଥିଲେ ଯଶବନ୍ତି ବେନ ପୋପଟ,ଜୟବେନ ବିସଲାନୀ, ପାର୍ବତୀ ବେନ, ଉଦବେନ,ବାନୁ ବେନ, ଲଗୁ ବେନ ଓ ଚୁବନ ବେନ । ସମସ୍ତଙ୍କର ଆର୍ଥିକ ଅବସ୍ଥା ଖରାପ ଥିଲା ଓ ସେମାନଙ୍କୁ କେଉଁଠି କାମ ମିଳୁନଥିଲା । ସେମାନେ ସମସ୍ତେ ପାମ୍ପଡ଼ ତିଆରି ଜାଣି ଥିବାରୁ ମିଳିତ ଭାବେ ଏଭଳି କରିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ବାଧକ ଥିଲା ଦରକାରୀ ସାମଗ୍ରୀ କିଣିବା କୁ ଅର୍ଥାଭାବ । ଏଭଳି ଏକ ସମୟରେ ଜଣେ ବଦାନ୍ୟ ବ୍ୟକ୍ତି ସବୁ ଶୁଣି ୮୦ ଟଙ୍କା ଯାଏଁ ଋଣ ଦେବାକୁ ରାଜି ହୋଇଗଲେ । ଯଶବନ୍ତି ବେନ ଓ ଅନ୍ୟ ୬ ମହିଳା ଏଭଳି ଭାବେ ୮୦ ଟଙ୍କା ଋଣରୁ ଆରମ୍ଭ କଲେ ଲିଜ୍ଜତ ପାମ୍ପଡ଼ ଉଦ୍ୟୋଗ । ଏବେ ସାରା ଦେଶରେ ବଢିଛି ଲିଜ୍ଜତ ପାମ୍ପଡ଼ର ଚାହିଦା । ବ୍ୟବସାୟ ପହଞ୍ଚିଛି ୧୬୦୦ କୋଟି ଟଙ୍କାରେ । ଭାରତ ବର୍ଷର ବିଭିନ୍ନ ପ୍ରମୁଖ ସହର ଗୁଡିକରେ ଏବେ ଲିଜ୍ଜତ ପାମ୍ପଡ଼ ତାର ଶାଖା ଖୋଲିଛି ।

ଲିଜ୍ଜତ ପାମ୍ପଡ଼ ତା’ର ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟାରେ ତିଆରି ହୁଏ । ପାମ୍ପଡ଼ ତିଆରି ପାଇଁ ଦରକାରୀ କଞ୍ଚାମାଲ ସଂଗ୍ରହ ପରେ ଆବଶ୍ୟକୀୟ ପ୍ରକ୍ରିୟାକରଣ ପରେ ଶାଖାମାନଙ୍କୁ ପଠାଇ ଦିଆଯାଏ । ସେଥିପାଇଁ ଅଲଗା ଅଲଗା ଜାଗାରେ ତିଆରି ହେଲେ ବି ପାମ୍ପଡ଼ର ସ୍ୱାଦ ସମାନ ରୁହେ । କମ୍ପାନୀ କଞ୍ଚାମାଲ ଭାବରେ ମିଆଁମାର୍ ରୁ ଆଣେ ଡାଲି, ଆଫଗାନସ୍ଥାନରୁ ଆଣେ ହେଙ୍ଗୁ, ଗୋଲମରିଚ ଆସେ କେରଳରୁ । ଏକ ବିଶେଷ ଉପାୟରେ ଗୋଲମରିଚକୁ ଗୁଣ୍ଡ କରାଯାଏ ଓ ହେଙ୍ଗୁ ଗୁଣ୍ଡ ସହ ମିଶାଯାଏ । ଏ କାମ ବମ୍ବେର ୱାସି ଓ ନାସିକ୍ ରେ ହୁଏ । ଲୁଣ ପାଣିରେ ଭିଜାଯାଏ ଡାଲିଗୁଣ୍ଡକୁ । ସବୁ ମସଲା ମସଲିକୁ ମିଶାଇ ଗୋଳାଗୋଳି କଲାପରେ ଯାଇଁ ବିଭିନ୍ନ ଶାଖାକୁ ପଠାଯାଏ । ଶାଖାରେ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ଆକାରରେ ପାମ୍ପଡ଼ ବେଲନ୍ତି । ମୁଖ୍ୟତଃ ସ୍ତ୍ରୀଲୋକମାନେ ପାଗ ହେଇସାରିଥିବା ଚକଟାକୁ ଓଜନ କରି ଘରକୁ ନେଇ ପାମ୍ପଡ଼ ବେଲି ସାରି ଶାଖାରେ ଦେଇଦିଅନ୍ତି ଓ ସେଇ ଅନୁସାରେ ପଇସା ପାଆନ୍ତି । ପାମ୍ପଡ଼ ସବୁ ମୁମ୍ବାଇ ଫେରନ୍ତି ଓ ସ୍ୱାଦ ଆଦିର ଯାଞ୍ଚ ପରେ ପ୍ୟାକେଟରେ ପଶି ବଜାରକୁ ଯାଆନ୍ତି ।

ଘରର କାମ ଧନ୍ଦା ସାରିଲା ପରେ ବଳକା ସମୟରେ ସ୍ତ୍ରୀ ଲୋକମାନେ ହାତଖର୍ଚ୍ଚ ଉଠେଇବାକୁ ପାମ୍ପଡ଼ ବେଲାରୁ ବେଶ୍ ଦୁଇ ପଇସା ରୋଜଗାର କରନ୍ତି । କେହି କେହି ପରିବାର ମଧ୍ୟ ଚଳାନ୍ତି । ଆପଣା ଘରେ ପାମ୍ପଡ଼କୁ ଠିକ୍ ଠାକ୍ ଭାବରେ ପରିଷ୍କାର ପରିବେଶରେ ରଖା ଶୁଖା କରାଯାଉଛି କି ନାହିଁ ଜାଣିବାକୁ କମ୍ପାନୀର କର୍ମଚାରୀ ହଠାତ୍ ପହଞ୍ଚି ପରିସ୍ଥିତିର ଯାଞ୍ଚ ଅନୁଧ୍ୟାନ ବି କରିଥା’ନ୍ତି । ସବୁ ସମୟରେ ଲକ୍ଷ୍ଯ ରଖାଯାଏ ପାମ୍ପଡ଼ର ଗୁଣବତ୍ତା ଯେମିତି ଠିକ୍ ରୁହେ । ଘରୁ ଗୋଡ଼ ନକାଢି ସ୍ତ୍ରୀଲୋକମାନେ ରୋଜଗାର କରି ପରିବାରକୁ ସହଯୋଗ କରିପାରିବେର ମୂଳ ଧାରଣା ସଫଳ ହେଇଛି । ବଡ଼ ବଡ଼ କମ୍ପାନୀମାନେ ଆଜି ମଣିଷକୁ ବାହାର କରିଦେଇ ଯନ୍ତ୍ରପାତି ଉପରେ ଅଧିକ ନିର୍ଭରଶୀଳ ହେଲାବେଳକୁ ଲିଜ୍ଜତ ଏବେ ବି ତା’ର ପୁରୁଣା ପ୍ରକ୍ରିୟା ଉପରେ ବିଶ୍ୱାସ ରଖିଛି ।

Comments are closed.