ଭୁବନେଶ୍ବର: ଆଜିକାଲି କମ୍ ବୟସରେ ବୟସ୍କଙ୍କ ପରି ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଯୁବ ବର୍ଗ । ଜାଣି ରଖନ୍ତୁ ଏହି ସଙ୍କେତ ଦର୍ଶାଉଛି ଯେ, ନିଶ୍ଚିତ ଭାବରେ ଆପଣ ପ୍ରତିଦିନ ଏପରି କିଛି କାର୍ଯ୍ୟ କରୁଛନ୍ତି ଯାହା ଆପଣଙ୍କ ଆଣ୍ଠୁ ଗଣ୍ଠିକୁ କ୍ଷତି ପହଞ୍ଚାଉଛି । ଯଦି ଠିକ୍ ସମୟରେ ଧ୍ୟାନ ନ ଦିଆଯାଏ , ବୟସ ବଢିବା ସହିତ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅତ୍ୟନ୍ତ ଗମ୍ଭୀର ହେବାକୁ ଲାଗିବ । ଆଣ୍ଠୁ ସୁସ୍ଥ ରଖିବା ପାଇଁ ସଠିକ୍ ଭାବରେ ଚାଲିବା, ବସିବା ଉଠିବା ଅତ୍ୟନ୍ତ ଜରୁରୀ ।
ତେବେ ଆସନ୍ତୁ ଜାଣିବା କେଉଁ ଅଭ୍ୟାସ ଆପଣଙ୍କ ଆଣ୍ଠୁକୁ ଦୁର୍ବଳ କରିପାରେ..
– ଅନେକ ମହିଳାମାନେ ପ୍ରତିଦିନ ହାଇ ହିଲ୍ ପିନ୍ଧନ୍ତି,ଯେଉଁ କାରଣରୁ ଶରୀରର ଓଜନ ଆଗ ଭାଗକୁ ବଢିଯାଏ ଏବଂ ଆଣ୍ଠୁର ଆଗ ଭାଗରେ ଅଧିକ ଚାପ ପଡେ। ଏହା ଦ୍ବାରା ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବା ସହ ଗୋଇଠି, ଆଙ୍ଗୁଠି ଏବଂ ପୁରା ପାଦର ମାଂସପେଶୀକୁ ମଧ୍ୟ କ୍ଷତି ପହଞ୍ଚାଏ ।
-ଅନେକ ଥର ଆମେ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେଉନାହୁଁ । ଯେପରି କି ଅଧିକ ସମୟ ଚକାମାଡି ବସିବା, ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ଠିଆ ହେବା କିମ୍ବା ସମାନ ଅବସ୍ଥାରେ ବସି କାର୍ଯ୍ୟ କରିବା । ଏହାପରେ ଯେତେବେଳେ ଆମେ ହଠାତ୍ ଉଠିଯାଉ ଏହା ଲିଗାମେଣ୍ଟରେ ସାମାନ୍ୟ ଆଘାତ ଦେଇପାରେ କିମ୍ବା ଶିର ଟାଣି ହୋଇଯାଇପାରେ । ଯାହା ଅଧିକାଂଶ ଲୋକ ଧ୍ୟାନ ଦିଅନ୍ତି ନାହିଁ । ତେଣୁ ଗୋଟିଏ ସ୍ଥାନରେ କ୍ରମାଗତ ଭାବେ ବସନ୍ତୁ ନାହିଁ କିମ୍ବା ଠିଆ ହୁଅନ୍ତୁ ନାହିଁ ।
-ସେହିପରି ବ୍ୟାୟାମ କରିବା ସମୟରେ, ଆଣ୍ଠୁ ଉପରେ ଅଧିକ ଚାପ ପକାଇବା ଉଚିତ୍ ନୁହେଁ । ଯଦି ଏହି ସମୟରେ ଆଣ୍ଠୁରେ ସାମାନ୍ୟ ଆଘାତ ଲାଗେ ଏହାକୁ ଅଣଦେଖା କରନ୍ତୁ ନାହିଁ । ମାଂସପେଶୀ କିମ୍ବା ହାଡରେ ସାମାନ୍ୟ ଆଘାତ ବେଳେବେଳେ ଅଧିକ କ୍ଷତିକାରକ ହୋଇପାରେ ।
– ଆହୁରିମଧ୍ୟ ଶରୀରକୁ ସଠିକ୍ ପୋଷକ ତତ୍ତ୍ୱ ଅଭାବରୁ ଆଣ୍ଠୁ ମଧ୍ୟ ଅଳ୍ପ ବୟସରେ କ୍ଷତିଗ୍ରସ୍ତ ହୋଇପାରେ । ଭିଟାମିନ୍ ଡି ଏବଂ କ୍ୟାଲସିୟମର ଅଭାବ ଆପଣଙ୍କୁ ଅଷ୍ଟିଓପୋରୋସିସ୍ ର ଶିକାର କରିପାରେ, ଯେଉଁଥିରେ ହାଡ ଅତ୍ୟନ୍ତ ଦୁର୍ବଳ ହୋଇଯାଏ ଏବଂ ଆଣ୍ଠୁଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହୋଇଥାଏ ।
Comments are closed.