Latest Odisha News

ଜେଲ୍ ଗଲେ ରାଜା, ବିଚାର ବିଭାଗୀୟ ହାଜତରେ ରହିବେ ବିଜେଡି ନେତା

ବାଲେଶ୍ଵର:ଜେଲ୍ ଗଲେ ବିଜେଡି ନେତା ରାଜା ଚକ୍ର । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ସୋସାଇଟି ଆର୍ଥିକ ଅନିୟମିତା ମାମଲାରେ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ରାଜା । ଆସନ୍ତା ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ରାଜା ଚକ୍ର । ଆଜି ଇଓଡବ୍ଲୁ ତାଙ୍କୁ ବାଲେଶ୍ୱର କୋର୍ଟରେ ହାଜର କରିଥିଲା । ଏହାପରେ ତାଙ୍କୁ ଜେଲ୍ ପଠାଯାଇଛି । ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଓ ଏଜେନ୍ସି ଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିବା ରାଜା ଚକ୍ରଙ୍କୁ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରିଥିଲା ଇଓଡବ୍ଲୁ । ତେବେ କୋର୍ଟରେ ରାଜାଙ୍କ ରିମାଣ୍ଡ କିମ୍ବା ଜାମିନ୍ ଆବେଦନ ହୋଇନି ।

ସୂଚନା ଅନୁସାରେ, ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା । କିନ୍ତୁ ହାଇକୋର୍ଟ ତାଙ୍କ ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ । ଏଥିସହ ରାଜାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ ହାଇକୋର୍ଟ । ଏହାପରେ ଗତକାଲି ରାଜା ଚକ୍ରଙ୍କୁ ଗିରଫ କରିଥିଲା କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ଶାଖା ଇଓଡବ୍ଲୁ ।

କହିରଖୁଛୁ ଯେ, ରାଜାଙ୍କ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ସେ ସବୁରେ ୧୮୫ କୋଟି ଟଙ୍କାର କାରବାର ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ର ୯ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳିଛି। ମେସିନ ଲୋଡିଂ କରି ମାନୁଆଲ ଲୋଡିଂ ନାଁରେ ବିଲ୍ ହୋଇଥିବା ଅଭିଯୋଗ ହୋଇଛି। ମାମଲାରେ ବେଆଇନ ଅର୍ଥ କାରବାର ଓ ଆୟକର ଫାଙ୍କିବାର ପ୍ରମାଣ ମିଳିବା ପରେ ତଦନ୍ତକୁ ଜୋରଦାର କରିଛି ଇଓଡବ୍ଲ୍ୟୁ।

Leave A Reply

Your email address will not be published.