ନୂଆଦିଲ୍ଲୀ: ଏବେ ପରିସ୍ଥିତି ଏପରି ଉପୁଜିଲାଣି ଯେ, ଭୂମଧ୍ୟସାଗରରେ ବହୁ ପରିମାଣର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଜମା ହେଲାଣି । ଚିନ୍ତାର ବିଷୟ ଯେ, ୟୁରୋପର ସବୁଠାରୁ ଗଭୀର ଅଳିଆ ଆବର୍ଜନାର କ୍ଷେତ୍ରରେ ପରିଣତ ହୋଇଛି ଭୂମଧ୍ୟସାଗର ।
ପ୍ରତିବର୍ଷ ଲକ୍ଷ ଲକ୍ଷ ଟନ୍ ଆବର୍ଜନା ସମୁଦ୍ରରେ ପକାଯାଉଛି । ସମୁଦ୍ରର ୫,୧୧୨ ମିଟର (୧୬,୭୭୦ ଫୁଟ) ଗଭୀର କାଲିପ୍ସୋ ଡିପ୍ ରେ ଆବର୍ଜନା ଜମା ହେଲାଣି । ସମୁଦ୍ର ତଳ ଭାଗରେ ସମୁଦାୟ ୧୬୭ ବସ୍ତୁ ମିଳିଛି, ସେଥିମଧ୍ୟରୁ ପ୍ଲାଷ୍ଟିକର ଡବା ଗୁଡିକ ମୁଖ୍ୟତଃ ରହିଛି । ତଳ ଭାଗରେ ଥିବା ୮୮ ପ୍ରତିଶତ ଆବର୍ଜନା ପ୍ଲାଷ୍ଟିକ୍ ଅଟେ ।
ବାର୍ସିଲୋନା ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କାଲିପ୍ସୋ ଗଭୀରରେ ପହଞ୍ଚିବା ପାଇଁ ଏକ ବୁଡ଼ାଜାହାଜ ବ୍ୟବହାର କରିଥିଲେ ଏବଂ ସମୁଦ୍ର ତଳ ଭାଗରେ ସେମାନେ କିଛି ପ୍ଲାଷ୍ଟିକ ଭଳି ବ୍ୟାଗ ଓ ଅନେକ ପ୍ଲାଷ୍ଟିକ ପାଇଥିଲେ ।
ଅଳିଆ କାରଣରୁ ସମୁଦ୍ର ପ୍ରାଣୀ ମଧ୍ୟ ମରିଯାଉଛନ୍ତି । ଏଥିସହ ଅନେକ ଜୀବ ବିଲୁପ୍ତ ହେବାକୁ ବସିଲେଣି । ଏପରିକି ସମୁଦ୍ରରେ ଅନେକ ସ୍ଥାନ ଡେଡ୍ ଜୋନ୍ ରେ ପରିଣତ ହେଲାଣି । ଡେଡ୍ ଜୋନର ଅର୍ଥ ହେଉଛି ଏହି ସାମୁଦ୍ରିକ ଅଞ୍ଚଳରେ ଜୀବନର ସମ୍ଭାବନା ଶେଷ ହେବାକୁ ଯାଉଛି ।
ପରିବେଶ ସୁରକ୍ଷା ଏଜେନ୍ସିର ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୮ ରୁ ୧୨ ମେଟ୍ରିକ୍ ଟନ୍ ପ୍ଲାଷ୍ଟିକ୍ ସମୁଦ୍ରରେ ଫୋପଡା ଯାଉଛି । ସମଗ୍ର ବିଶ୍ୱରେ ବର୍ତ୍ତମାନ ୧୫ ରୁ ୫୧ ଟ୍ରିଲିୟନ ପ୍ଲାଷ୍ଟିକ ଖଣ୍ଡ ସମୁଦ୍ର ପୃଷ୍ଠରେ ଭାସୁଛି ।