ପୁରୀ: ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥ । ପୁରୀ ସ୍ବର୍ଗଦ୍ବାରରେ ରମାକାନ୍ତ ରଥଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଚିତାରେ ମୁଖାଗ୍ନି ଦେଲେ ପୁଅ ପିନାକୀ ରଥ । ଶେଷକୃତ୍ୟରେ ସାମିଲ ହେଲେ ବହୁ ବିଶିଷ୍ଟ ବ୍ୟକ୍ତି ଗଣ । ଗତକାଲି ୯୧ ବର୍ଷ ବୟସରେ ଶେଷନିଶ୍ବାସ ତ୍ୟାଗ କରିଥିଲେ ସୁନାମଧନ୍ୟ ସାରସ୍ବତ ସାଧକ ରମାକାନ୍ତ ରଥ। । ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି।
ନିଜର ବଳିଷ୍ଠ ରଚନାରେ ଓଡ଼ିଆ ସାରସ୍ବତ ଜଗତକୁ ସେ ଅନେକ କାଳଜୟୀ କୃତି ଭେଟି ଦେଇଛନ୍ତି। ରମାକାନ୍ତଙ୍କ କବିତା ସଂକଳନ ମଧ୍ୟରେ କେତେ ଦିନର, ସନ୍ଦିଗ୍ଧ ମୃଗୟା, ସପ୍ତମ ରତୁ, ସଚିତ୍ର ଅନ୍ଧାର, ଶ୍ରୀରାଧା ଏବଂ ଶ୍ରେଷ୍ଠ କବିତା ଆଦି ବେଶ ପାଠକୀୟ ଶ୍ରଦ୍ଧା ଲାଭ କରିଥିଲେ। ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ରମାକାନ୍ତ । ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକ ହାସଲ କରିବା ପରେ ୧୯୫୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଏବଂ ୧୯୯୨ରେ ଅବସର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ମୁଖ୍ୟ ସଚିବ ଥିଲେ ।
ଏଥିସହିତ ସେ ଥିଲେ ଜଣେ ବିଶିଷ୍ଟ କବି। କେନ୍ଦ୍ର ସାହିତ୍ୟ ଏକାଡେମୀ ୧୯୭୮ ମସିହାରେ ତାଙ୍କ କବିତା ସଂକଳନ ସପ୍ତମ ଋତୁ ପାଇଁ ତାଙ୍କୁ ପୁରସ୍କୃତ କରିଥିଲା । ୧୯୮୪ରେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାର ମିଳିଥିଲା । ୧୯୯୨ ମସିହାରେ ସେ ସରସ୍ୱତୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ୨୦୦୬ରେ ପଦ୍ମଭୂଷଣରେ ସମ୍ମାନୀତ ହୋଇଥିଲେ ରମାକାନ୍ତ ।
Comments are closed.