Latest Odisha News

BREAKING NEWS

ଋଷ-ୟୁକ୍ରେନ୍ ଯୁଦ୍ଧର ଦି ଏଣ୍ଡ !

ନୂଆଦିଲ୍ଲୀ: ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲୋଚନା । ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ବଡ଼ ନିଷ୍ପତ୍ତି । ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ୨ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଛି । ଏଥିରେ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ୩୦ଦିନ ଯାଏଁ ଅସ୍ତ୍ରବିରତି କରିବାକୁ ଋଷ ରାଜି ହୋଇଛନ୍ତି । ଋଷ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ସ୍ଥାପନ ଦିଗରେ ଏହା ପ୍ରଥମ ପଦକ୍ଷେପ ବୋଲି ଟ୍ରମ୍ପ ଆଶା କରିଛନ୍ତି । ଆଗକୁ ଦୁଇ ଦେଶ ମଧ୍ୟରେ ସଂପୂର୍ଣ୍ଣ ଭାବେ ଯୁଦ୍ଧ ବନ୍ଦ କରିବା ନେଇ ଆଲୋଚନା ହେବ ଓ ଯୁଦ୍ଧ ଶେଷ ହେବ ବୋଲି ଟ୍ରମ୍ପ କହିଛନ୍ତି ।

ଯୁଦ୍ଧ ନେଇ ବଡ଼ ନିଷ୍ପତ୍ତି

ମଙ୍ଗଳବାର ଡୋନାଲଡ ଟ୍ରମ୍ପ ଋଷ ରାଷ୍ଟ୍ରପତି ପୁତିନଙ୍କ ସହ ଫୋନରେ ୨ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କରିଥିଲେ । ଉଭୟ ପୂର୍ବ ୟୁରୋପର ବିବାଦୀୟ ଅଞ୍ଚଳରେ ଅସ୍ତ୍ରବିରତି ଓ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା କରିଥିଲେ । ଯୁଦ୍ଧ ପାଇଁ ଉଭୟ ଋଷ ଓ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧରେ ୧୦ହଜାରରୁ ଅଧିକଙ୍କ ଜୀବନ ଯାଇଛି । ଉଭୟ ପୁତିନ ଓ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧକୁ ଶେଷ କରିବାକୁ ଚାହୁଁଛନ୍ତି । ସଂପୂର୍ଣ୍ଣ ଭାବେ ଯୁଦ୍ଧ ଶେଷ କରିବା ଦିଗରେ କାମ କରାଯାଉଛି। ଶୀଘ୍ର ଭୟାବହ ଯୁଦ୍ଧ ଶେଷ କରାଯିବ ବୋଲି ଟ୍ରମ୍ପ କହିଛନ୍ତି । ସେପଟେ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ୩୦ଦିନ ପର୍ଯ୍ୟନ୍ତ ଆକ୍ରମଣ ନକରିବା ପ୍ରସ୍ତାବରେ ପୁତିନ ରାଜି ହୋଇଥିବା ଋଷ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଅସ୍ତ୍ରବିରତି…ସର୍ତ୍ତ ଲାଗୁ

ୟୁକ୍ରେନରେ ଅସ୍ତ୍ରବିରତି ନେଇ ରାଷ୍ଟ୍ରପତି ପୁତିନ କିଛି ସର୍ତ୍ତ ରଖିଥିବା କ୍ରେମଲିନ୍ ପକ୍ଷରୁ କୁହାଯାଇଛି । ଆଗକୁ ଏସବୁ ସର୍ତ୍ତ ନେଇ ଆଲୋଚନା କରାଯିବ। ଆଲୋଚନା ଉଭୟ ଦେଶର ସଂପର୍କରେ ନୂଆ ମୋଡ ଆଣିବା ସହ ଭବିଷ୍ୟତରେ ଶାନ୍ତି ପ୍ରତିଷ୍ଠା ଦିଗରେ ସହାୟକ ହୋଇପାରେ । ଆମେରିକା ସହ ମିଶି ୟୁକ୍ରେନ୍ ସଂକଟ ଶେଷ କରିବା ପାଇଁ କାମ କରିବାକୁ ପ୍ରସ୍ତୁତ ଥିବା ପୁତିନ କହିଛନ୍ତି । ୟୁକ୍ରେନ୍ ସଂକଟ ବିଶ୍ବ ରାଜନୀତିକୁ ପ୍ରଭାବିତ କରିଥିବା ବେଳେ ଏଭଳି ଆଲୋଚନା ଓ ସହମତି ଦ୍ବାରା ଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ କରାଯାଇପାରିବ ବୋଲି ପୁତିନ କହିଛନ୍ତି । ଟ୍ରମ୍ପ ୩୦ଦିନ ଅସ୍ତ୍ରବିରତି ନେଇ କହିବା ପରେ ପୁତିନ କିଛି ସର୍ତ୍ତ ରଖିଥିଲେ । ଏଥିରେ ୟୁକ୍ରେନକୁ ବିଦେଶୀ ସେନା ସହାୟତା ଓ ଗୁଇନ୍ଦା ସୂଚନା ଯୋଗାଣ ବନ୍ଦ କରିବାକୁ କହିଛନ୍ତି । ସେହିପରି ୟୁକ୍ରେନ ସେନାରେ ଭର୍ତ୍ତି ଓ ସେନାକୁ ହତିଆର ଉପରେ ରୋକ ଲଗାଇବାକୁ କହିଛନ୍ତି ପୁତିନ ।

ଜେଲେନସ୍କିଙ୍କ ସ୍ବାଗତ

ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଅସ୍ତ୍ରବିରତି ନେଇ ଋଷର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଜେଲେନସ୍କି । ସାଉଦି ଆରବରେ ଆମେରିକା ସହ ଆଲୋଚନା ବେଳେ ଏନେଇ ପୂର୍ବରୁ ପ୍ରସ୍ତାବ ଦେଇଥିଲା ୟୁକ୍ରେନ୍ । ତେବେ କିଭର ସହଯୋଗୀମାନେ ଗୁରୁତ୍ବପୂର୍ଣ୍ଣ ସାମରିକ ସହାୟତା ହ୍ରାସ କରିବେନି ବୋଲି ଆଶା ରଖିଛନ୍ତି ଜେଲେନସ୍କି । ସାମରିକ ସହଯୋଗ ନେଇ ସେ ଫ୍ରାନ୍ସ ରାଷ୍ଟ୍ରପତି ଓ ଜର୍ମାନ ଚାନସେଲରଙ୍କ ସହ ଆଲୋଚନା କରିଥିବା କହିଛନ୍ତି ।

ଋଷ ସହ ଯୁଦ୍ଧ ବେଳେ ଜେଲେନସ୍କିଙ୍କୁ ଆମେରିକା ଓ ୟୁରୋପର ସାଥ୍ ମିଳିଥିଲା। ତେବେ ଟ୍ରମ୍ପ କ୍ଷମତାକୁ ଆସିବା ପରେ ବଦଳିଛି ସମୀକରଣ । ଟ୍ରମ୍ପ ପୁତିନଙ୍କୁ ଗୁରୁତ୍ବ ଦେଉଥିବା ବେଳେ ଅନେକ ୟୁରୋପୀୟ ଦେଶ ୟୁକ୍ରେନ ସମର୍ଥନରେ ଠିଆ ହୋଇଛନ୍ତି । ଆମେରିକା ଯୁଦ୍ଧ ବନ୍ଦ କରିବା ଦିଗରେ ପଦକ୍ଷେପ ନେଉଛି । ଏନେଇ ଟ୍ରମ୍ପ ଓ ପୁତିନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଯୁଦ୍ଧ ବିରତି ଦିଗରେ ହୋଇଥିବା ଆଲୋଚନାକୁ ଫ୍ରାନ୍ସ, ଜର୍ମାନ ଓ ୟୁକେ ସ୍ବାଗତ କରିଛନ୍ତି । ତେବେ ସଂପୂର୍ଣ୍ଣ ଯୁଦ୍ଧ ବନ୍ଦ ଉପରେ ଏହା କିପରି ପ୍ରଭାବ ପକାଉଛି, ତାଉପରେ ନଜର ରହିଛି ।

Comments are closed.