ଭୁବନେଶ୍ବର: ଓଡିଆ ପକ୍ଷ ପାଳନ କରନ୍ତୁ ଏବଂ ଓଡିଆ ପକ୍ଷ ଓ୍ବେବସାଇଟରେ ଅପଲୋଡ କରନ୍ତୁ ଆପଣଙ୍କ ସେଲଫି । କାରଣ ଏଥିପାଇଁ ଓଡ଼ିଆ ପକ୍ଷ ପାଳନ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ https://odiapakhya.com ଖୋଲିଛନ୍ତି ଓଡିଶା ସରକାର । ଯେଉଁଥିରେ ଓଡିଶାବାସୀ ଓଡ଼ିଆ ପକ୍ଷ ସମ୍ବନ୍ଧୀୟ କୁଇଜରେ ଭାଗ ନେବା ସହିତ ଓଡ଼ିଆ ପକ୍ଷ ପାଳନ କରି ନିଜର ସେଲ୍ଫି ଅପଲୋଡ଼ କରିପାରିବେ । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ଯେଉଁଥିରେ ଉଲ୍ଲେଖ ରହିଛି, ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାର ମହାପର୍ବ ହେଉଛି “ଓଡ଼ିଆ ପକ୍ଷ” । ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ପକ୍ଷ ପାଳନକୁ ନେଇ ଏକ ସ୍ୱତନ୍ତ୍ର ୱେବସାଇଟର ମଧ୍ୟ ନିର୍ମାଣ କରାଯାଇଛି । ୱେବସାଇଟରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ସବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି ।
ଏଥିସହିତ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରାଯାଇଛି । ଏଥିସହିତ ୱେବସାଇଟରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ଏକ କୁଇଜ୍ ମଧ୍ୟ ରଖାଯାଇଛି । ଏହି କୁଇଜ୍ରେ ଓଡ଼ିଶାର ବରପୁତ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ପ୍ରଶ୍ନ ରହିଛି । ସମସ୍ତ ପ୍ରତିଭାଗୀମାନେ କୁଇଜ୍ରେ ଅଂଶଗ୍ରହଣ କରି ନିଜର ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଡ଼ାଉନଲୋଡ୍ କରିପାରିବେ । ଏଥିସହିତ ନିଜ ବିଦ୍ୟାଳୟ, ମହାବିଦ୍ୟାଳୟ, ବ୍ଲକ, ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜର ସେଲ୍ଫି ମଧ୍ୟ ଏହି ଓଡ଼ିଆ ପକ୍ଷ ୱେବସାଇଟରେ ଅପଲୋଡ଼ କରିପାରିବେ ।
Comments are closed.