ନୂଆଦିଲ୍ଲୀ : ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ତେଜିଲା ସ୍ବର । ରାଜରାସ୍ତାରେ ନଜର ଆସିଲେ ହଜାର ହଜାର ଲୋକ । ଜାନୁଆରୀ ୨୦ରେ ରାଷ୍ଟପ୍ରତି ଦାୟିତ୍ବ ସମ୍ଭାଳିବା ପରେ ଟ୍ରମ୍ପଙ୍କ ବିରୋଧରେ ଏହା ସବୁଠୁ ବଡ଼ ବିକ୍ଷୋଭ । ଆମରିକାର ୧୨ଶହରୁ ଅଧିକ ସ୍ଥାନରେ ଲୋକେ ଟ୍ରମ୍ପଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି । ଏପରିକି ତାଙ୍କ ସହଯୋଗୀ ଏଲନ ମସ୍କଙ୍କ ବିରୋଧରେ ବି ସ୍ବର ଉତ୍ତୋଳନ କରିଛନ୍ତି ଆନ୍ଦୋଳନକାରୀ । ଏହି ବିରୋଧର ନାଁ ରହିଛି ‘Hands Off’ । ତେବେ କାହିଁକି ଟ୍ରମ୍ପଙ୍କୁ ଏମିତି ବିରୋଧ, ଆଉ ଏହାାର ପ୍ରଭାବ କେମତି ପଡ଼ିବ ଆମେରିକା ଉପରେ ଆସନ୍ତୁ ଜାଣିବା ।
ଆମେରିକାର ସବୁଠୁ ବ୍ୟସ୍ତବହୁଳ ରାସ୍ତାରେ ଟ୍ରମ୍ପଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକ। ଆମେରିକାକୁ ପୁଣି ଗ୍ରେଟ୍ କରିବା ନାରା ଦେଇ କ୍ଷମତାକୁ ଫେରିଥିବା ଟ୍ରମ୍ପ, ନିକଟରେ ଯେଉଁସବୁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ଜୋରଦାର ବିରୋଧ କରିଛନ୍ତି ଏହି ଆନ୍ଦୋଳନକାରୀ। ଆମେରିକାର ସମସ୍ତ ୫୦ଟି ଯାକ ରାଜ୍ୟରେ ବଡ଼ ଧରଣର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି । ୧୨୦୦ରୁ ଅଧିକ ସ୍ଥାନରେ ହଜାର ହଜାର ଲୋକ ବିରୋଧ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଜାନୁଆରୀ ୨୦ରେ ଟ୍ରମ୍ପ୍ କାର୍ଯ୍ୟଭାର ସମ୍ଭାଳିବା ପରେ ଏ ହେଉଛି ସବୁଠୁ ବଡ଼ ଜନ ଆନ୍ଦୋଳନ । ଏହି ବିରୋଧର ନାଁ ରହିଛି ‘Hands Off’ । ଯେଉଁଥିରେ ସାମିଲ ହୋଇଛନ୍ତି, LGBTQ+ କମ୍ୟୁନିଟି ସଦସ୍ୟ, ଆଇନଜୀବୀ, ମାନବାଧିକାର ସଂଗଠନ ଏବଂ ଶ୍ରମିକ ସଂଗଠନ ଭଳି ୧୫୦ରୁ ଅଧିକ ଗ୍ରୁପ । ନ୍ୟୁୟର୍କଠାରୁ ଆରମ୍ଭ କରି ଲସ୍ ଆଞ୍ଜଲେସ୍.. ଓ୍ବାଶିଂଟନ୍ ଡିସି ହେଉ କି ଷ୍ଟେଟ୍ କ୍ୟାପିଟଲ୍ସ, ସିଟି ସେଣ୍ଟର୍ସ । ସବୁଠି ଦେଖିବାକୁ ମିଳିଛି ଜୋରଦାର ବିକ୍ଷୋଭ ।
ଟ୍ରମ୍ପଙ୍କ ଯେଉଁ କିଛି ନୀତିକୁ ସବୁଠୁ ଅଧିକ ବିରୋଧର ସାମ୍ନାକୁ କରିବାକୁ ପଡ଼ୁଛି, ସେଗୁଡ଼ି ମଧ୍ୟରେ ରହିଛି, ଜାତୀୟ ଗର୍ଭପାତ ନିରୋଧୀ ଆଇନ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକରେ କର୍ମଚାରୀ ଛଟେଇ ଓ ସଂସ୍କାର, ଉଚ୍ଚ ଟାରିଫ ଯୋଗୁଁ ମୁଦ୍ରାସ୍ଫୀତି ବୃଦ୍ଧି, ଷ୍ଟକ୍ ମାର୍କେଟ କ୍ରାସ୍, ଗୁରୁତ୍ବପୂର୍ଣ୍ଣ ସୁଇଙ୍ଗ୍ ଷ୍ଟେଟ୍ଗୁଡ଼ିକରେ ମତଦାତା ଦମନ ଅଭିଯୋଗ । ଯାହାକି ଟ୍ରମ୍ପଙ୍କ ପାଇଁ ଏବେ ସୃଷ୍ଟି କରିଛି ଅଡ଼ୁଆ ପରିସ୍ଥିତି । ବିଶେଷକରି ସରକାରୀ କର୍ମଚାରୀ କମାଇବା, ବ୍ୟବସାୟ ଉପରେ କଠୋର ଟିକସ ନୀତିକୁ କରାଯାଇଛି ଜୋରଦାର ବିରୋଧ । ନାଗରିକ ଅଧିକାର ହ୍ରାସ କରିବା ପ୍ରୟାସକୁ ବି ସମାଲୋଚନା କରାଯାଇଛି । ଏପରିକି ଟ୍ରମ୍ପଙ୍କ ସବୁଠୁ ଖାସ୍, ମସ୍କଙ୍କ ‘ଡିପାର୍ଟମେଣ୍ଟ ଅଫ ଗଭର୍ନମେଣ୍ଟ ଏଫିସିଏନ୍ସି’ ଯୋଜନା ମଧ୍ୟ ବିକ୍ଷୋଭକାରୀଙ୍କ ଟାର୍ଗେଟରେ । ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବା ପରେ ଏହା ହେଉଛି ସବୁଠୁ ବଡ଼ ବିକ୍ଷୋଭ ।
Comments are closed.